କଟକ, ୨୭/୦୯/୨୦୨୬: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଥିବା ପରିପ୍ରେକ୍ଷୀରେ କଟକ ଜିଲ୍ଲାର ତଳିଆ ଅଞ୍ଚଳ ଓ ନଦୀକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଓ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।
ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ତଳିଆ ଅଞ୍ଚଳରେ ନିୟମିତ ନଜର ରଖିବା, ଆବଶ୍ୟକ ସ୍ଥଳରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା କରିବା ସହ ବଲହା ଓ ବାଲିବସ୍ତା ମହଜୁଦ ରଖିବା ଏବଂ ଜନସାଧାରଣଙ୍କୁ ସତର୍କ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ଆଠଗଡ଼ ଉପଜିଲ୍ଲାପାଳଙ୍କ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥଳ ପରିଦର୍ଶନ କରାଯାଇ ବଡ଼ମ୍ବା ତହସିଲ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକର ସ୍ଥିତି ଅନୁଧ୍ୟାନ କରାଯାଇଛି। ଆବଶ୍ୟକ ସ୍ଥାନରେ ତୁରନ୍ତ ପଦକ୍ଷେପ ନେବାକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାଙ୍କୀ-ଡମପଡ଼ା ବ୍ଲକରେ ମାଇକ୍ ଯୋଗେ ଜନସାଧାରଣଙ୍କୁ ସତର୍କ କରାଯାଉଛି। ସେହିପରି କଟକ ମହାନଗର ନିଗମ ପକ୍ଷରୁ ନଦୀଘାଟ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଏନ୍ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ନିୟମିତ ଯାଞ୍ଚ କରାଯାଇବା ସହ ଲୋକମାନଙ୍କୁ ନଦୀକୁ ନଯିବା ଏବଂ ସୁରକ୍ଷା ନିୟମ ପାଳନ କରିବା ନେଇ ସଚେତନ କରାଯାଉଛି। ବଡ଼ମ୍ବା ବ୍ଲକର ନଦୀ ସଂଲଗ୍ନ ଓ ସମ୍ବେଦନଶୀଳ ଗ୍ରାମପଞ୍ଚାୟତଗୁଡ଼ିକରେ ମଧ୍ୟ ମାଇକ୍ ଯୋଗେ ସତର୍କତାମୂଳକ ପ୍ରଚାର ଜାରି ରହିଛି। ସେହିପରି ଆଠଗଡ଼ ତହସିଲ ଅନ୍ତର୍ଗତ ବିପଦପ୍ରବଣ ଅଞ୍ଚଳଗୁଡ଼ିକରେ ମଧ୍ୟ ମାଇକିଂ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଜନସାଧାରଣ ଆତଙ୍କିତ ନହୋଇ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସତର୍କତା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।