
କଟକ, ତା ୧୯.୦୯.୨୦୨୬ ରିଖ – କଟକ ପ୍ରସିଦ୍ଧ ରୂପା ତାରକସୀ ଓ ମାଣିଆବନ୍ଧ ହସ୍ତତନ୍ତକୁ ଗୁରୁତ୍ୱ ଦେଇ “ଜିଲ୍ଲାକୁ ରପ୍ତାନୀ କେନ୍ଦ୍ର ଭାବେ ବିକଶିତ କରିବା: ଦକ୍ଷତା ବିକାଶ ଓ ରପ୍ତାନୀ ସଚେତନତା କାର୍ଯ୍ୟକ୍ରମ” ଶୀର୍ଷକ ଏକ କାର୍ଯ୍ୟକ୍ରମ ଶୁକ୍ରବାର ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(MSME) ବିଭାଗ ଅଧୀନସ୍ଥ ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ (DEP&M) ପକ୍ଷରୁ ଜିଲ୍ଲା ଶିଳ୍ପ କେନ୍ଦ୍ର, କଟକ ସହଯୋଗରେ ଏବଂ ବିଦେଶୀ ବାଣିଜ୍ୟ ମହା ନିର୍ଦ୍ଦେଶାଳୟ (DGFT), କୋଲକାତା ଓ ଭାରତୀୟ ରପ୍ତାନୀ ସଂଗଠନ ସଂଘ (FIEO)- ଓଡିଶା ଚାପ୍ଟର ସହାୟତାରେ ଆୟୋଜିତ ହୋଇଥିଲା । ଉଦ୍ଘାଟନୀ ଅଧିବେଶନରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଅଭିମାନପୁରଠାରେ ହସ୍ତତନ୍ତ କାରିଗର ମାନଙ୍କ ପାଇଁ ଏକ ସାଧାରଣ ସୁବିଧା କେନ୍ଦ୍ର (CFC) ପ୍ରତିଷ୍ଠା ଏବଂ ରୌପ୍ୟ ତାରକସି କାରିଗର ମାନଙ୍କ ପାଇଁ କଟକରେ ଏକ ସାଧାରଣ ସୁବିଧା କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେବା ସହ ଜିଲ୍ଲାରେ ରପ୍ତାନୀ ବୃଦ୍ଧି ସକାଶେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ବୈଷୟିକ ଅଧିବେଶନରେ ରପ୍ତାନୀ ପ୍ରୋତ୍ସାହନ, ମାନଦଣ୍ଡ, ଲଜିଷ୍ଟିକ୍ସ, ଡାକ ସେବା ଏବଂ ରପ୍ତାନୀ ସମ୍ବନ୍ଧୀୟ ସହାୟତା ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା ଓ ଉପସ୍ଥାପନା କରାଯାଇଥିଲା । DGFT, FIEO, ଭାରତୀୟ ମାନକ ବ୍ୟୁରୋ (BIS), ଇଣ୍ଡିଆ ପୋଷ୍ଟର କଟକ ସିଟି ଡିଭିଜନ, ECGC ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର, କଟକର ଅଧିକାରୀ ଓ ପ୍ରତିନିଧିମାନେ ବିଭିନ୍ନ ବିଷୟରେ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗୀ, କାରିଗର ଓ ଅନ୍ୟାନ୍ୟ ଅଂଶୀଦାରମାନେ ରପ୍ତାନୀ ପ୍ରକ୍ରିୟା, ରପ୍ତାନୀର ସୁଯୋଗ ଏବଂ ସରକାରୀ ସହାୟତା ବ୍ୟବସ୍ଥା ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ । ବିଶେଷକରି କଟକର ପାରମ୍ପରିକ ତାରକସୀ କଳା ଓ ମାଣିଆବନ୍ଧ ହସ୍ତତନ୍ତ ଉତ୍ପାଦକୁ ବ୍ୟାପକ ବଜାରରେ ପହଞ୍ଚାଇବାର ସମ୍ଭାବନା ଉପରେ ଗୁରୁତ୍ୱ ଦେବା ସହ ଏକ ପ୍ରଦର୍ଶନୀ ମେଳା ମଧ୍ୟ ଆୟୋଜିତ ହୋଇଥିଲା । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, DGFT, କୋଲକାତାର ଉପ ମହାନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଧର ପାଣ୍ଡେ, ITS, ଜିଲ୍ଲା ଶିଳ୍ପ କେନ୍ଦ୍ର, କଟକର ସାଧାରଣ ପରିଚାଳକ ଶ୍ରୀ ମନୋଜ କୁମାର ମହାପାତ୍ର ଏବଂ FIEO-ଓଡ଼ିଶା ଚାପ୍ଟରର ମୁଖ୍ୟ ଶ୍ରୀ କମଲ ସାହୁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ ।