ଗ୍ରାମାଂଚଳରେ ସୁଦୃଢ ନେଟୱାର୍କ ଯୋଗାଇଦେବା ଉପରେ ଗୁରୁତ୍ୱ

କଟକ ତା ୧୯.୦୯.୨୦୨୬ ରିଖ – ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଦୃଢ ମୋବାଇଲ ନେଟୱାର୍କ ଯୋଗାଇ ଦେବା ତଥା ବାଲିଯାତ୍ରା-୨୦୨୬ ସମୟରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ନିରବଚ୍ଛିନ୍ନ ମୋବାଇଲ୍ ନେଟୱର୍କ, ଭଏସ୍ କଲ୍ ଓ ଇଣ୍ଟରନେଟ୍ ସେବା ସୁନିଶ୍ଚିତ କରିବା ନେଇ ଜିଲ୍ଲାସ୍ତରୀୟ ଟେଲିକମ୍ କମିଟିର ଏକ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଟେଲିକମ୍ ଭିତ୍ତିଭୂମି ଓ ନେଟୱର୍କ ସଂଯୋଗର ସ୍ଥିତି ସମୀକ୍ଷା କରାଯିବା ସହ ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବାଲିଯାତ୍ରା ପଡ଼ିଆରେ ବିପୁଳ ଜନସମାଗମ ସମୟରେ ନେଟୱର୍କ ଉପରେ ଅତିରିକ୍ତ ଚାପ ଏଡ଼ାଇବା ପାଇଁ ଜିଓ ( jio) ଓ ଏୟାରଟେଲ୍ (Airtel) ପକ୍ଷରୁ ୧୦ଟି ଲେଖାଏଁ Cell on Wheels (COW) ୟୁନିଟ୍ ମୁତୟନ କରାଯିବ। ଏଥିରୁ ୮ଟି ୟୁନିଟ୍ ତଳ ବାଲିଯାତ୍ରା ପଡ଼ିଆରେ ଏବଂ ୨ଟି ଉପର ବାଲିଯାତ୍ରା ପଡ଼ିଆରେ ରହିବ।ସେହିପରି, ବିଏସ୍ଏନ୍ଏଲ୍ (BSNL)ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଗୋଟିଏ COW ୟୁନିଟ୍ ମୁତୟନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀଙ୍କୁ ପର୍ଯ୍ୟାପ୍ତ ନେଟୱର୍କ କ୍ଷମତା ସୁନିଶ୍ଚିତ କରିବା ସହ ବାଲିଯାତ୍ରା ସମୟରେ ନିରବଚ୍ଛିନ୍ନ ସଂଯୋଗ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ବଡ଼ମ୍ବା, ନିଆଳି, କଣ୍ଟାପଡ଼ା, ଡମପଡ଼ା ତହସିଲ ସମେତ ଆଠଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଧୀର ନେଟୱର୍କ ସଂଯୋଗ ସମ୍ପର୍କିତ ଅଭିଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ତହସିଲରେ ନିରବଚ୍ଛିନ୍ନ ଟେଲିକମ୍ ସେବା ସୁନିଶ୍ଚିତ କରିବାକୁ ଉପସ୍ଥିତ ବିଏସ୍ଏନ୍ଏଲ୍‌ ଓ ଅନ୍ୟାନ୍ୟ ମୋବାଇଲ ନେଟୱାର୍କ ପ୍ରଦାନକାରୀ ସଂସ୍ଥା ଜିଓ, ଏଆରଟେଲ, ଭୋଡାଫୋନ ଆଦି ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସଂଯୋଗ ସମ୍ପ୍ରସାରଣର ସମ୍ଭାବ୍ୟତା ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀଙ୍କୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *