ଚଣ୍ଡିଖୋଲ,୨୮/୮(କ.ବ୍ୟୁ) (ପ୍ରଶାନ୍ତ କୁମାର ଜେନା) ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଏକ ଫୌଜଦାରୀ ମାମଲାର ବିଚାର କରି ଘଟଣାରେ ସମ୍ପୃକ୍ତ ମୁଦାଲାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କାର ଜୋରିମାନ ଆଦେଶ ଶୁଣାଇଛନ୍ତି | ସୂଚନା ମୁତାବକ ୨୦୨୦ ଜାନୁଆରୀ ୨୮ ତାରିଖରେ ଯାଜପୁର ଜିଲ୍ଲା ବୈରୀ ଥାନା ନୟାପାଟଣା ଗ୍ରାମର ବସନ୍ତ କୁମାର ସାହୁ ଛତିଆ ବିଟ୍ ହାଉସରେ ଲିଖିତ ଅଭିଯୋଗ କରିଥିଲେ ଯେ, ସେଦିନ ପୂର୍ବାହ୍ନ ୧୧:୩୦ ଘଟିକା ସମୟରେ ଘରେ ଅନ୍ୟ କେହି ପରିବାର ଲୋକ ନଥିବା ସମୟରେ ମୁଦାଲା ଦୀନବନ୍ଧୁ ସାହୁ ଓ ତାଙ୍କ ପୁଅ ସୌମ୍ୟରଂଜନ ସାହୁ ତାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କ ମା’ ସତ୍ୟଭାମା ସାହୁଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କଲେ | ଯେତେବେଳେ ତାଙ୍କ ମା’ ସତ୍ୟଭାମା ପ୍ରତିରୋଧ କଲେ ଉଭୟ ବାପା ଓ ପୁଅ ଲୁହା ରଡ୍ ରେ ତାଙ୍କ ମାଙ୍କ ମୁଣ୍ଡକୁ ଆଘାତ କରିଥିଲେ | ଯାହା ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତଶ୍ରାବ ହେଲା ଓ ସେ ଅଚେତ ହୋଇପଡିଲେ | ସାହି ଲୋକଙ୍କ ଠାରୁ ଘଟଣା ବିଷୟରେ ଖବର ପାଇ ଏତଲାକାରୀ ଓ ଅନ୍ୟମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମା’ଙ୍କୁ ଲୋକାଲ ପି.ଏଚ.ସି କେନ୍ଦ୍ରରେ ଚିକିତ୍ସା କରାଇବାକୁ ନେଲେ ଓ ଡାକ୍ତର ତାଙ୍କୁ କଟକ ବଡମେଡିକାଲକୁ ଚିକିତ୍ସା ନିମନ୍ତେ ନେବାକୁ କହିଲେ | ଚିକିତ୍ସା ସମୟରେ ସେଠାରେ ତାଙ୍କର ମୃତ୍ୟୁ ହେଲା | ଉକ୍ତ ଘଟଣାଟି ବୈରୀ ଥାନା କେଶ ନଂ- ୧୭/୨୦୨୦ ରେ ମାମଲା ରୁଜୁ ହୋଇଥିଲା | ଏହି ମାମଲା ଚଣ୍ଡିଖୋଲ କୋର୍ଟରେ ସି.ଟି. ସେସନ୍ସ ନଂ- ୭୯/୨୦୨୦ ର ବିଚାର କରି ୧୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଆଜି ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଗୋପବନ୍ଧୁ ଗଡ଼ନାୟକ, ମୁଦାଲା ମନ୍ତ୍ରୀ ଓରଫ ଦୀନବନ୍ଧୁ ସାହୁଙ୍କୁ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦,୦୦୦ ଟଙ୍କାର ଜୋରିମାନା ଓ ଜୋରିମାନା ଅନାଦେୟ ଆଉ ୬ ମାସର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି | ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଡିସନାଲ ପି.ପି. ନଳିନୀକାନ୍ତ ମିଶ୍ର ପରିଚାଳନା କରୁଥିଲେ |