
ତମେ ଉତ୍ତାଳଢେଉ ତନୁତୀର୍ଥରେ ଚନ୍ଦ୍ରକଳାର ହ୍ରାସ,
ମୁଁ ଯେ’ ମଗ୍ନଶିଳ୍ପୀ ସ୍ବପ୍ନ ଆତୁର ପ୍ରୀତିଇପ୍ସିତ ଦାସ ।
ତମେ ଓଦା ସରସର କିଶୋରୀ ଗାଁର ଫେରୁଛ ଗାଧୁଆସାରି,
ଜହ୍ନିଫୁଲ ହସେ ଗୋହିରୀବାଟରେ , (ତୁମ) ତନୁର ସ୍ପର୍ଶବାରି ।
ତମେ ଶୀତସଂଜର କଳାକୁଂଜର ଅପରୂପା ଲାଜବତୀ,
ମୁଁ ଯେ’ ନୀରବବାଦ୍ୟ ବେସୁରାବିଭୋର ସ୍ନିଗ୍ଧ ଆକାଶଛାତି ।
ତୁମେ ନାଚିଲେ ନାଚିବ ରାତି
ମୁଁ ଯେ’ ସାଜିଥିବି ବନବିଥି,
ନିଥରବେଳାରେ ତନ୍ଦ୍ରାକାଳିରେ
ଲେଖିଦେଇଯିବ
କ୍ଷଣିକ ରାତିର ରତି ।
ଲାଜଲାଜ ତୁମ ତନୁର ଗହଣା ଜହ୍ନରାତିର ଭେଟି,
ଅଳସା ଆଖିରେ ଓଦାଓଦା ନିଦ ପ୍ରଣୟପାଗର ଚିଠି ।
ବନହରିଣୀର କୋମଳ ହିୟାରେ ଖରନିଃଶ୍ବାସ ଧାଇଁ,
ସ୍ପର୍ଶ ନଥାଇ କାହିଁକି କେଜାଣି ଚବଚବ ହୁଏ ନଈ ।
ଗୋଟିଏ ରାତିର ପ୍ରୀତିଅନ୍ଧାର ସଜେଇଛି ଅଭିସାର,
ଚନ୍ଦ୍ରଶାଳା ମୋ’ ଅରପିଦେଇଛି ଯଉବନ ଜୀବନର ।
ଶିଶିର ପଖଳା ସୁନାଝରା ଖରା ସକାଳେ ନଥିବ ତୁମେ,
କିଛିଫୁଲ ହେବେ କୁଆଁରୀବିଧୂରା ପୋଡାବଉଳର ଭ୍ରମେ ।
ତୁମେ ତୋଳିଥିଲ ପ୍ରଣୟତୀର୍ଥ ଚାରୁମନ୍ଦିର ଏକ
ସଂଜ କୁଣିଆ ସକାଳକୁ ନାହିଁ
ସ୍ମୃତି ଟାଣିନେଲା ଛାତିରେ ଗହୀରଦାଗ ।
ସେଇ ତୀର୍ଥରେ ଶେଷଗତି ମୋର ଖୋଜିଖୋଜି ଦିନେଯିବି,
ତୁମ ନୀଳଢେଉ ଥିବ ଗମ୍ଭୀର ବାଲିରେ ମୁଁ ଠିଆହେବି ।
ଅସ୍ତବର୍ଣ୍ଣ ବେଳାରେ ଜଳିବ ଶତ ଅନୁରାଗ ସୂର୍ଯ୍ୟ,
ଚନ୍ଦ୍ରଶାଳା ମୋ’ ଚିହ୍ନିପାରିବ
ଉଚ୍ଛୁଳରାତିର ସ୍ମୃତିମିଳନର ଅଧାଗଢା କାରୁକାର୍ଯ୍ୟ ।
ତୀର୍ଥନାୟିକା ଚାହାଁଣିମାତ୍ରେ ଉଠିବ ପଡିବ ଢେଉ,
ଇଏ ତ ପ୍ରେମର ସାର୍ଥକଗୀତି ସନ୍ତକ ହେଇଥାଉ,
ଝାଉଁର ପୂରବୀ ରାଗରେ ରାଗରେ ଦୁଃଖ ଗୁମୁରୁଥାଉ ।
……….*.*.*.*.*.*.*……….
ପିନାକୀ ମିଶ୍ର
” ଶୂନ୍ୟନୀଳ “
ଚର୍ଚ୍ଚ ପାଖ, ଜେଲ୍ ରୋଡ ,କେନ୍ଦୁଝର
ମୋ – ୯୪୩୮୧୧୮୩୯୭