ଚନ୍ଦ୍ରଶାଳା

                                             

ତମେ ଉତ୍ତାଳଢେଉ ତନୁତୀର୍ଥରେ  ଚନ୍ଦ୍ରକଳାର ହ୍ରାସ,

ମୁଁ  ଯେ’ ମଗ୍ନଶିଳ୍ପୀ  ସ୍ବପ୍ନ ଆତୁର   ପ୍ରୀତିଇପ୍ସିତ ଦାସ  ।

ତମେ ଓଦା ସରସର କିଶୋରୀ ଗାଁର ଫେରୁଛ ଗାଧୁଆସାରି,

ଜହ୍ନିଫୁଲ ହସେ  ଗୋହିରୀବାଟରେ , (ତୁମ) ତନୁର ସ୍ପର୍ଶବାରି  ।

ତମେ  ଶୀତସଂଜର  କଳାକୁଂଜର   ଅପରୂପା  ଲାଜବତୀ,

ମୁଁ ଯେ’ ନୀରବବାଦ୍ୟ ବେସୁରାବିଭୋର ସ୍ନିଗ୍ଧ ଆକାଶଛାତି ।

ତୁମେ ନାଚିଲେ ନାଚିବ ରାତି

ମୁଁ  ଯେ’  ସାଜିଥିବି ବନବିଥି,

ନିଥରବେଳାରେ ତନ୍ଦ୍ରାକାଳିରେ 

ଲେଖିଦେଇଯିବ 

କ୍ଷଣିକ ରାତିର ରତି  ।

ଲାଜଲାଜ  ତୁମ ତନୁର ଗହଣା  ଜହ୍ନରାତିର  ଭେଟି,

ଅଳସା ଆଖିରେ ଓଦାଓଦା ନିଦ ପ୍ରଣୟପାଗର ଚିଠି  ।

ବନହରିଣୀର କୋମଳ ହିୟାରେ ଖରନିଃଶ୍ବାସ ଧାଇଁ,

ସ୍ପର୍ଶ ନଥାଇ କାହିଁକି କେଜାଣି   ଚବଚବ  ହୁଏ ନଈ  ।

ଗୋଟିଏ ରାତିର ପ୍ରୀତିଅନ୍ଧାର ସଜେଇଛି ଅଭିସାର,

ଚନ୍ଦ୍ରଶାଳା ମୋ’ ଅରପିଦେଇଛି ଯଉବନ ଜୀବନର  ।

ଶିଶିର ପଖଳା ସୁନାଝରା  ଖରା ସକାଳେ  ନଥିବ ତୁମେ,

କିଛିଫୁଲ ହେବେ କୁଆଁରୀବିଧୂରା ପୋଡାବଉଳର ଭ୍ରମେ  ।

ତୁମେ ତୋଳିଥିଲ ପ୍ରଣୟତୀର୍ଥ ଚାରୁମନ୍ଦିର ଏକ

ସଂଜ କୁଣିଆ ସକାଳକୁ ନାହିଁ

ସ୍ମୃତି ଟାଣିନେଲା ଛାତିରେ ଗହୀରଦାଗ  ।

ସେଇ ତୀର୍ଥରେ ଶେଷଗତି ମୋର ଖୋଜିଖୋଜି ଦିନେଯିବି,

ତୁମ  ନୀଳଢେଉ  ଥିବ ଗମ୍ଭୀର ବାଲିରେ  ମୁଁ ଠିଆହେବି  ।

ଅସ୍ତବର୍ଣ୍ଣ ବେଳାରେ ଜଳିବ ଶତ ଅନୁରାଗ ସୂର୍ଯ୍ୟ,

ଚନ୍ଦ୍ରଶାଳା ମୋ’ ଚିହ୍ନିପାରିବ 

ଉଚ୍ଛୁଳରାତିର ସ୍ମୃତିମିଳନର ଅଧାଗଢା କାରୁକାର୍ଯ୍ୟ  ।

ତୀର୍ଥନାୟିକା ଚାହାଁଣିମାତ୍ରେ ଉଠିବ ପଡିବ ଢେଉ,

ଇଏ ତ ପ୍ରେମର ସାର୍ଥକଗୀତି ସନ୍ତକ ହେଇଥାଉ,

ଝାଉଁର ପୂରବୀ ରାଗରେ ରାଗରେ ଦୁଃଖ ଗୁମୁରୁଥାଉ   ।

……….*.*.*.*.*.*.*……….

  ପିନାକୀ ମିଶ୍ର

” ଶୂନ୍ୟନୀଳ “

ଚର୍ଚ୍ଚ ପାଖ, ଜେଲ୍ ରୋଡ ,କେନ୍ଦୁଝର 

ମୋ  –  ୯୪୩୮୧୧୮୩୯୭

Leave a Reply

Your email address will not be published. Required fields are marked *