ଇତିହାସ ରଚିଲେ ପୋଲମା ବିଦ୍ୟାଳୟର ଛାତ୍ର , ଜାତୀୟ ଜୁନିୟର ଥ୍ରୋବଲ୍ ଚାମ୍ପିଅନସିପ୍‌ରେ ଓଡ଼ିଶା ବାଳକ ଦଳକୁ ସ୍ୱର୍ଣ୍ଣ ପଦକ


କଲ୍ୟାଣସିଂହପୁର:(ତପନ କୁମାର କାଡ୍ରାକା )ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ପୋଲମା ପଞ୍ଚାୟତ ସ୍ଥିତ ପୋଲମା ବିଦ୍ୟାଳୟ ପାଇଁ ଆସିଛି ଗୌରବମୟ ଖବର। ବିଦ୍ୟାଳୟର ଛାତ୍ର ସୁଶାନ୍ତ ମାଣ୍ଡିକା ଜାତୀୟ ସ୍ତରୀୟ ଜୁନିୟର ଥ୍ରୋବଲ୍ ଚାମ୍ପିଅନସିପ୍‌ରେ ଓଡ଼ିଶା ବାଳକ ଦଳର ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ମହାରାଷ୍ଟ୍ରର ନାସିକ୍‌ଠାରେ ଅନୁଷ୍ଠିତ ୩୨ତମ ଜୁନିୟର ଥ୍ରୋବଲ୍ ଚାମ୍ପିଅନସିପ୍‌ରେ ଓଡ଼ିଶା ବାଳକ ଦଳ ଚମତ୍କାର ପ୍ରଦର୍ଶନ କରି ଚାମ୍ପିଅନ୍ ହୋଇଛି। ସେମିଫାଇନାଲ୍‌ରେ ଓଡ଼ିଶା ୨-୦ ସେଟ୍‌ରେ ଆୟୋଜକ ମହାରାଷ୍ଟ୍ରକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଫାଇନାଲ୍‌ରେ ଶକ୍ତିଶାଳୀ କେରଳ ଦଳ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ୨-୧ ସେଟ୍‌ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହି ସଫଳତା ଓଡ଼ିଶା ଥ୍ରୋବଲ୍ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି।
ସୁଶାନ୍ତ ମାଣ୍ଡିକାଙ୍କ ଏହି ସଫଳତା ପାଇଁ ତାଙ୍କୁ ଖେଳ ଶିକ୍ଷକ ବାବୁଲା ମେଲେକା, ରାୟଗଡ଼ା ବ୍ଲକ୍ ଉପାଧ୍ୟକ୍ଷ ହରପ୍ରସାଦ ହେପୁରୁକା, ସମାଜସେବୀ ଚନ୍ଦ୍ରଶେଖର ଖୋର୍ଶେଲିବଂଶ, ଗୋବିନ୍ଦ ଉଲ୍ଲାକା, ବିଜୟ କୁମାର ମେଲେକା, କାମେଶ୍ୱର ବିଡ଼ିକା ଓ ରାଜେଶ ହିମିରିକାଙ୍କ ସମେତ ବହୁ ବ୍ୟକ୍ତି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି।
ସୁଶାନ୍ତଙ୍କ ଏହି ସଫଳତାରେ ପୋଲମା ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଜାତୀୟ ସ୍ତରରେ ସୁଶାନ୍ତଙ୍କ ଏହି କୃତିତ୍ୱ ରାୟଗଡ଼ା ଜିଲ୍ଲା ସମେତ ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ମତ ପ୍ରକାଶ ପାଇଛି।
ଗ୍ରାମାଞ୍ଚଳରେ ରହିଥିବା ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ଉପଯୁକ୍ତ ପ୍ରଶିକ୍ଷଣ, କ୍ରୀଡ଼ା ସାମଗ୍ରୀ ଓ ସୁଯୋଗ ପ୍ରଦାନ କରାଗଲେ ଆଗାମୀ ଦିନରେ ଆହୁରି ଅନେକ ପ୍ରତିଭାବାନ୍ ଛାତ୍ରଛାତ୍ରୀ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭାର ପରିଚୟ ଦେଇପାରିବେ ବୋଲି ସ୍ଥାନୀୟ ମହଲରେ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *