
କଟକ: କଟକ ମହାନଗର ନିଗମ (କେ .ଏମ୍.ସି.) ୱାର୍ଡ ନମ୍ବର ୪୬ ଅନ୍ତର୍ଗତ କାଳିଆବୋଦା ସ୍ଥିତ ଗୁରୁକ୍ଷେତ୍ର ପଡ଼ିଆ ନିକଟରେ ଆଜି ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଡ୍ରେନ୍ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ କରକମଳରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଏହି ସୁଭ ଅବସରରେ ମାନ୍ୟବର ମେୟରଙ୍କ ସହିତ ପବ୍ଲିକ୍ ୱାର୍କସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ସାମାଜିକ ନ୍ୟାୟ ଓ ସାଧାରଣ ଅଭିଯୋଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଥତା ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପ୍ରଳୟା ବେଉରା, ୪୬ ନମ୍ବର ୱାର୍ଡ ବିଜେଡି ସଭାପତି ଶ୍ରୀ ତ୍ରୈଲୋକ୍ୟ ବିହାରୀ ପଟ୍ଟନାୟକ ଏବଂ ୱାର୍ଡ କାର୍ଯ୍ୟକାରୀ ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେଉରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହା ସହିତ ସ୍ଥାନୀୟ ଗ୍ରାମ ମୁରବୀ ଶ୍ରୀ ବସନ୍ତ କୁମାର ମହାନ୍ତି, ଶ୍ରୀ ବବୁନି ବାରିକ, ଶ୍ରୀ ଲକ୍ଷ୍ମୀଧର ବେହେରା, ଶ୍ରୀ ଗୋଲେଖ ଚନ୍ଦ୍ର ମହାନ୍ତି, ଶ୍ରୀ ମନୋରଞ୍ଜନ ଜେନା, ଶ୍ରୀ ବାବୁ ବାରିକ, ଶ୍ରୀ ସଞ୍ଜମ ସିଂ, ଶ୍ରୀ ତନ୍ମୟ ବାବୁ, ଶ୍ରୀ ମହାନ୍ତିଙ୍କ ସମେତ ଅଞ୍ଚଳର ୧୦୦ ରୁ ଊର୍ଦ୍ଧ୍ୱ ମହିଳା, ଯୁବକ ଓ ନାଗରିକମାନେ ଉପସ୍ଥିତ ଥିଲେ।
ଦୀର୍ଘଦିନର ସମସ୍ୟା ପରେ ଡ୍ରେନର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଞ୍ଚଳର ବାସିନ୍ଦା ଓ ମୁରବୀମାନେ ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ଜଳନିଷ୍କାସନ ଓ ପରିମଳ ସମସ୍ୟାର ସ୍ଥାୟୀ ସମାଧାନ ହେବା ସହ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ ବୋଲି ସ୍ଥାନୀୟ ଲୋକେ ଆଶା ବ୍ୟକ୍ତ କରିଛନ୍ତି।