ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଖଣ୍ଡସ୍ତରରେ ପାଳିତ


ବାରିପଦା /ଉଦଳା ତା୦୧/୧୦/୨୦୨୬(କ ବ୍ଯୁ ):
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଆଜି କପ୍ତିପଦା ଉପଖଣ୍ଡସ୍ତରରେ ସ୍ଥାନୀୟ ସନ୍ଧାନ ଗୃହ ଠାରେ ପାଳନ କରାଯାଇଅଛି । ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ଆଜି ସକାଳ ଘ.୬.୩୦ମିନିଟରେ ସମୟରେ ଯୋଗ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ସ୍ଥାନୀୟ ବିଧାୟକ ଭାସ୍କର ମଢ଼େଇ, ସରକାରୀ କର୍ମଚାରୀ ସମେତ ଛାତ୍ରଛାତ୍ରୀମାନେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ ସରକାରୀ ଯୋଜନାକୁ ନେଇ ଏକ ବରିଷ୍ଠ ନାଗରିକ ସଚେତନତା ରଥ ଉଦଳା ଅଞ୍ଚଳରେ ପରିଭ୍ରମଣ କରିଥିଲା । ପରେ ଉଦଳା ଡ଼ାକ୍ତରଖାନା ପରିସରରେ “ଏକ ପେଡ଼ ମା’ କେ ନାମ” କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ କରାଯିବା ସହିତ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଗୋଟିଏ ଲେଖାଏଁ ଚାରା ନିଜ ଘର ଅଗଣାରେ ଲଗାଇବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯିବା ସହିତ ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଉଦଳା ଉପଖଣ୍ଡ ଚିକିତ୍ସା ଅଧିକ୍ଷକ ମୀନକେତନ ମହାନ୍ତି ବରିଷ୍ଠ ନାଗରିକ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାର୍ଗ ଦର୍ଶନ କରିଥିବା ବେଳେ ଉଦଳା ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡ଼ା ବରିଷ୍ଠ ନାଗରିକ ସୁରକ୍ଷା ସଚେତନତା ଆଇନ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରଣୟ ରଞ୍ଜନ ବେହେରା, ନଗରପାଳ ପ୍ରମିଳା ପଣ୍ଡା, ଉଦଳା ତହସିଲଦାର ସୁପ୍ରଭା ଦାସ, ଡ଼େପୁଟି କଲେକ୍ଟର ପ୍ରତୀକ ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୁରଲୀଧର ଚନ୍ଦ, ସନ୍ଦୀପ ମହାନ୍ତି, ସ୍ମୃତିବନ୍ୟା ମହାନ୍ତି, ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେସନରେ ସମସ୍ତଙ୍କ ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦିବଗବାଳା ପରିଡ଼ାଙ୍କ ମାର୍ଗଦର୍ଶନରେ ଓଡ଼ିଶୀ ନୃତ୍ୟ ପରିବେଷଣ, ଭଜନ ସଂଗୀତ କାର୍ଯ୍ୟକ୍ରମ ସମେତ ନାଟକ ପରିବେଷଣ କରାଯାଇଥିଲା । ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ପୃଷ୍ଟି ମଞ୍ଚ ପରିଚାଳନା କରିଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀମାନେ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *