କଟକ, ୩୦।୦୯: ତେରାପନ୍ଥ ସମ୍ପ୍ରଦାୟର ସାଧୁମାନଙ୍କ ଦ୍ୱାରା ସୃଷ୍ଟ ବିଭିନ୍ନ ହସ୍ତକଳା, ଚିତ୍ରକଳା, ସୁଲେଖନ, ହସ୍ତଲିଖନ କଳା ଓ ପ୍ରେରଣାଦାୟକ ସାମଗ୍ରୀକୁ ନେଇ ପ୍ରଥମଥର ପାଇଁ କଟକରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହେବାକୁ ଯାଉଅଛି। ଆସନ୍ତା ଅକ୍ଟୋବର ୨ରୁ ୪ ତାରିଖ ପର୍ଯ୍ୟନ୍ତ କାଠଗଡ଼ା ସାହିସ୍ଥିତ ତେରାପନ୍ଥ ଭବନରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି।ତେରାପନ୍ଥ ମହିଳା ମଣ୍ଡଳ ସଭାପତି ଶ୍ରୀମତୀ ସୁନୀତା ବେଙ୍ଗାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ସୂଚନା ଅନୁଯାୟୀ, ମୁନି ମୋହଜିତ କୁମାର, ମୁନି ଭବ୍ୟକୁମାର ଜୀ ଓ ମୁନି ଜୟେଶ କୁମାର ଜୀଙ୍କ ମାର୍ଗଦର୍ଶନରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି।
ପ୍ରଦର୍ଶନୀରେ ସାଧୁମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ହସ୍ତକଳା ସାମଗ୍ରୀ, ସୂକ୍ଷ୍ମ କାଗଜ କଳା, ପିତଳ ପତ୍ର ଖୋଦେଇ, କାଠକାମ ସହ ତେରାପନ୍ଥର ପ୍ରଥମ ଆଚାର୍ଯ୍ୟଙ୍କ ସମୟରୁ ବର୍ତ୍ତମାନ ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ପ୍ରାୟ ୨୫୦ ବର୍ଷର ପୁରୁଣା ହସ୍ତଲିଖିତ ଦଲିଲ ଓ ଲେଖନ କଳା ପ୍ରଦର୍ଶିତ ହେବ।
ଏଥିରେ ସୃଜନଶୀଳତା, ମୌଳିକତା, କଳାର ବିକାଶ, ନୈସର୍ଗିକ ସୌନ୍ଦର୍ଯ୍ୟ, କୌଶଳ, ସରଳତା ଏବଂ କାରିଗରୀ ଦକ୍ଷତାର ଅନନ୍ୟ ସମନ୍ୱୟ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ହେବାକୁ ଯାଉଅଛି। ଜୀବନ ସହ ଜଡ଼ିତ ବିଭିନ୍ନ ଘଟଣା ଓ ବିଷୟବସ୍ତୁକୁ କଳାତ୍ମକ ଢଙ୍ଗରେ ଉପସ୍ଥାପନ କରାଯିବ। ଏହା ନୂଆ ପିଢ଼ି ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବିରଳ କଳାକୃତି ସମ୍ପର୍କରେ ଜାଣିବା ସହ କଳା ପ୍ରତି ନୂଆ ଦୃଷ୍ଟିକୋଣ ବିକଶିତ କରିବାର ସୁଯୋଗ ଦେବ।
ଅକ୍ଟୋବର ୨ ତାରିଖ ସକାଳ ୮ଟା ୩୦ରେ ପ୍ରଦର୍ଶନୀର ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହେବ। ସାଧାରଣ ଦର୍ଶକଙ୍କ ପାଇଁ ପ୍ରଦର୍ଶନୀ ସକାଳ ୧୦ଟାରୁ ଦ୍ୱିପ୍ରହର ୧୨ଟା, ଦ୍ୱିପ୍ରହର ୨ଟାରୁ ୪ଟା ଏବଂ ସନ୍ଧ୍ୟା ୭ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଅନୁଷ୍ଠାନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି।