କଟକ ତା ୧୭.୦୯.୨୦୨୬ ରିଖ : ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ନିମନ୍ତେ ଆସନ୍ତା କାଲି ବାରବାଟୀ ପ୍ୟାଲେସଠାରେ ସକାଳ ୧୦ ଘଟିକଠାରୁ ଏକକ ବାତାୟନ ବ୍ୟବସ୍ଥା (Single Window System) କାର୍ଯ୍ୟକ୍ଷମ ହେବ । ଏହି ଏକକ ବାତାୟନ ବ୍ୟବସ୍ଥା ମାଧ୍ୟମରେ ପ୍ରଥମ ୪ ଦିନ, ଅର୍ଥାତ୍ ୧୮, ୧୯, ୨୦ ଓ ୨୧ ତାରିଖରେ, ସମସ୍ତ ପୂଜା କମିଟି ଏନ୍ଓସି ଓ ଆବଶ୍ୟକ ଅନୁମତିପତ୍ର ପାଇଁ ଆବେଦନ କରିପାରିବେ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଭାବେ ଏନ୍ଓସି ଓ ଆବଶ୍ୟକ ଅନୁମତି ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।
ଏହି ଏକକ ବାତାୟନ ବ୍ୟବସ୍ଥାରେ ତହସିଲ କାର୍ଯ୍ୟାଳୟ, ଆର୍ଟିଓ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଆବଶ୍ୟକ ଅନୁମତି/ପ୍ରମାଣପତ୍ର ସହିତ ଭିତ୍ତିଭୂମି ନିରାପତ୍ତା ପ୍ରମାଣପତ୍ର, ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ବିଦ୍ୟୁତ ନିରାପତ୍ତା ପ୍ରମାଣପତ୍ର ଏବଂ କଟକ ମହାନଗର ନିଗମ ସମ୍ବନ୍ଧୀୟ ପରିମଳ ୟୁଜର ଫି, ସାଉଣ୍ଡ ବକ୍ସ ଓ ପ୍ରୋସେସନ୍ ପାଇଁ ଆବଶ୍ୟକ ଫି ମଧ୍ୟ ଗୋଟିଏ ସ୍ଥାନରେ ଦାଖଲ କରାଯାଇପାରିବ।
ବାରବାଟୀ ପ୍ୟାଲେସ୍ଠାରେ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ପୂଜା କମିଟିଗୁଡ଼ିକର ଆବେଦନ ଗ୍ରହଣ କରିବା ସହ ଆବଶ୍ୟକ ପ୍ରକ୍ରିୟା ସମ୍ପାଦନ କରିବେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ । ଉପଜିଲ୍ଲାପାଳ, କଟକ ସଦର, ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ସିଂ Single Window Systemର ନୋଡାଲ ଅଧିକାରୀ ଅଛନ୍ତି । କଟକ ସହରର ସମସ୍ତ ପୂଜା କମିଟି ଏହି ଏକକ ବାତାୟନ ବ୍ୟବସ୍ଥାର ସୁଯୋଗ ନେଇ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଆବଶ୍ୟକ ଏନ୍ଓସି ଓ ଅନୁମତିପତ୍ର ପାଇଁ ଆବେଦନ କରିବାକୁ ଅନୁରୋଧ କରାଯାଇଛି ।