
କଟକ, ୦୫।୦୯: ଓଡ଼ିଶା ପ୍ରୋଜେକ୍ଟ ଆଣ୍ଡ ମାର୍କେଟିଂ ଡେଭଲପମେଣ୍ଟ ସେଣ୍ଟର (ଓପିଏମ୍ଡିସି) ପକ୍ଷରୁ ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ଟେଷ୍ଟିଂ ଲାବୋରେଟୋରୀ ପରିସରରେ ୧୨ ଦିନିଆ ଉଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବହୁ ଯୁବକ ଓ ଶିକ୍ଷିତ ମହିଳା ଅଂଶଗ୍ରହଣ କରିଥିଲେ।
ତାଲିମ କାର୍ଯ୍ୟକ୍ରମରେ ଉଦ୍ୟୋଗ ପ୍ରତିଷ୍ଠା, ଉତ୍ପାଦନ ପ୍ରକ୍ରିୟା, ଉତ୍ପାଦର ଗୁଣବତ୍ତା ବୃଦ୍ଧି, ବଜାର ସୃଷ୍ଟି ଓ ବିପଣନ ଆଦି ବିଷୟରେ ଅଂଶଗ୍ରହଣକାରୀଙ୍କୁ ତଥ୍ୟଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭର ହେବା ସହିତ ଉତ୍ପାଦିତ ସାମଗ୍ରୀକୁ ଉପଯୁକ୍ତ ବଜାର ଯୋଗାଇ ଏହାର ମୂଲ୍ୟ ବୃଦ୍ଧି କରିବା ଉପରେ ତାଲିମରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମ ପରିଚାଳନାରେ କଟକ ଜିଲ୍ଲା ଶିଳ୍ପ ଅଧିକାରୀ ତଥା ଓପିଏମ୍ଡିସି ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁଙ୍କ ସହଯୋଗ ରହିଥିଲା। ଯୁବକ ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବା, ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଉତ୍ସାହିତ କରିବା ଏବଂ ଉତ୍ପାଦିତ ସାମଗ୍ରୀକୁ ବଜାରରେ ଉପଯୁକ୍ତ ମୂଲ୍ୟ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।
ଏହି ତାଲିମ କାର୍ଯ୍ୟକ୍ରମରେ ଏସ୍ବିଆଇ ମ୍ୟାନେଜର ନିବେଦିତା ଦାସ, ଶିଳ୍ପ ବିଭାଗର କଟକର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଭୁବନାନନ୍ଦ ମହାନ୍ତି, ଭଦ୍ରକର ପୂର୍ବତନ ଜିଏମ୍ ଇଞ୍ଜିନିୟର ପିତାମ୍ବର ପରିଡ଼ା ଏବଂ ଡିଆଇସି, କଟକର ଜିଏମ୍ ମନୋଜ କୁମାର ମହାପାତ୍ର ପ୍ରମୁଖ ତାଲିମ ପ୍ରଦାନରେ ସହଯୋଗ କରିଥିଲେ।