ସିଏମ୍ କିଷାନ୍ ଯୋଜନାର ନୂଆଖାଇ କିସ୍ତି ହସ୍ତାନ୍ତର ଅବସରରେ ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ‌‌


ବାରିପଦା,ତା୦୪/୦୯/୨୦୨୬
(କ: ବ୍ଯୁ) : ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟ ସରକାର
ସିଏମ୍ କିଷାନ୍ ଯୋଜନା ଅଧୀନରେ ରବି ୨୦୨୬-୨୭ ପାଇଁ ନୂଆଖାଇ ଉପଲକ୍ଷେ ପ୍ରଦାନ କରାଯାଉଥିବା କିସ୍ତି ସହାୟତା ରାଶି ହିତାଧିକାରୀ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟି ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଏହି ସହାୟତା ରାଶି ହସ୍ତାନ୍ତର କରାଯାଇଛି ।

                ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବିଶେଷକରି ଅନୁନ୍ନତ ଜନଜାତି ସମୂହର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି । ସିଏମ୍ କିଷାନ୍ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ମୋଟ ୪,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

                  ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରର ଆନେକ୍ସ କକ୍ଷରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟ୍ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ବଡ଼ସାହି ବିଧାୟକ ସନାତନ ବିଜୁଳି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

                    ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନବଲ୍ଲଭ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସିଏମ୍ କିଷାନ୍ ଯୋଜନାର ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ପର୍କରେ ଅବଗତ କରାଇଥିଲେ ।

                     ମୁଖ୍ୟ ଅତିଥି ବିଧାୟକ ପ୍ରକାଶ ସୋରେନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସିଏମ୍ କିଷାନ୍ ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ୪୧ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଭାଇ ଓ ଭଉଣୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏଁ କୃଷକ ସହାୟତା ରାଶି ହସ୍ତାନ୍ତର କରାଯାଇଛି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାର ୨,୮୭,୫୧୦ ଜଣ ଚାଷୀ ଉପକୃତ ହୋଇଛନ୍ତି । ଏହି ଆର୍ଥିକ ସହାୟତା ଚାଷ କାର୍ଯ୍ୟ ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଆବଶ୍ୟକତାକୁ କିଛି ମାତ୍ରାରେ ପୂରଣ କରିବାରେ ସହାୟକ ହେଉଛି ।

                       ସେ ଆହୁରି କହିଥିଲେ ଯେ, ଚାଷୀଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ପାଇଁ ସରକାର ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଓ ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି । ଏଥିମଧ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କୃଷି ବିଦ୍ୟା ନିଧି ଯୋଜନା, କୃଷି ଋଣ ରିହାତି, ଧାନର କୁଇଣ୍ଟାଲ ପିଛା ୨,୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ସହ ୮୦୦ ଟଙ୍କା ଇନପୁଟ ସହାୟତା ଏବଂ ପିଏମ୍ କିଷାନ୍ ସହାୟତା ଆଦି ଅନ୍ତର୍ଭୁକ୍ତ । ଏହି ସମସ୍ତ ଯୋଜନା ଚାଷୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ କୃଷି କ୍ଷେତ୍ରର ବିକାଶକୁ ଗତିଶୀଳ କରୁଛି ବୋଲି ଶ୍ରୀ ସୋରେନ ନିଜ ବକ୍ତବ୍ୟରେ କହିଥିଲେ ।

                 ଅନ୍ୟ ସମ୍ମାନିତ ଅତିଥିମାନେ ନିଜ ବକ୍ତବ୍ୟରେ କୃଷକ କଲ୍ୟାଣ ଯୋଜନାଗୁଡ଼ିକର ବିଭିନ୍ନ ଦିଗ ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଚାଷୀ ଦେଶର ଅର୍ଥନୀତିର ମେରୁଦଣ୍ଡ ହୋଇଥିବାରୁ ଚାଷୀଙ୍କ ସଶକ୍ତିକରଣ ଦ୍ୱାରା ବିକଶିତ ଭାରତର ପରିକଳ୍ପନାକୁ ଆହୁରି ସୁଦୃଢ଼ କରାଯାଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

                   କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ମତ୍ସ୍ୟ ଅଧିକାରୀ, ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ବିଭାଗୀୟ ଯୋଜନାଗୁଡ଼ିକର ବିଭିନ୍ନ ଦିଗ ଓ ଚାଷୀଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ନିଜ ମତାମତ ରଖିଥିଲେ ।

                   ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନବଲ୍ଲଭ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ଜେନା, ସହକାରୀ କୃଷି ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା ବଳଙ୍କ ସମେତ ତୁଷାରକାନ୍ତ ମହାନ୍ତି, ମାନସ ରଞ୍ଜନ ମହାନ୍ତି, ସରୋଜ ଦାସ, ରାଜାରାମ ସାହୁ, ପ୍ରିୟମ୍ବଦା ଧଳ ଓ କାନ୍ତା ପୃଥାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

                 କାର୍ଯ୍ୟକ୍ର ମୁଁମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଶତାଧିକ ଚାଷୀ ଏବଂ ହିତାଧିକାରୀ ଯୋଗଦେଇଥିଲେ । 

ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *