
ବାରିପଦା(କ: ବ୍ଯୁ)
ତା୨୯/୦୭/୨୦୨୬ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ପକ୍ଷରୁ, ଉନ୍ନତ ଭାରତ ଅଭିଯାନର ଅଂଶଗ୍ରହଣକାରୀ ଅନୁଷ୍ଠାନ ଭାବେ ପି.ଏମ୍.–ଉଷା ପ୍ରାୟୋଜିତ “ଧାରଣକ୍ଷମ ଗ୍ରାମ ବିକାଶର ପଥ” ଶୀର୍ଷକ ସଚେତନତା ଓ ସମ୍ବେଦୀକରଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ୧୦୦୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଜାତୀୟ ଶିକ୍ଷା ନୀତି–୨୦୨୦ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ସମାଜ ସହିତ ଅଧିକ ସଂଯୁକ୍ତ ହେବାକୁ ଆହ୍ୱାନ କରେ ଏବଂ ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ତା’ର ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ପୋଷ୍ୟ ଗ୍ରାମଗୁଡ଼ିକର ଧାରଣକ୍ଷମ ଓ ଅନ୍ତର୍ଭୁକ୍ତିମୂଳକ ବିକାଶ ପାଇଁ ସଦା ପ୍ରତିବଦ୍ଧ ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ବିଭାଗ ଗ୍ରାମ ବିକାଶ ସହ ଜଡ଼ିତ ପ୍ରକଳ୍ପ, ଗବେଷଣା ଓ କ୍ଷେତ୍ରଭିତ୍ତିକ କାର୍ଯ୍ୟକ୍ରମ ଗ୍ରହଣ କରିବା ଆବଶ୍ୟକ । ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଉନ୍ନତ ଭାରତ ଅଭିଯାନର ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ବିଶ୍ୱବିଦ୍ୟାଳୟର ପୋଷ୍ୟ ପାଞ୍ଚଟି ଗ୍ରାମ — ବୁଢ଼ିଖମାରୀ, ବାଲିପାଳ, ହଦହଦି, ନଦୀଗାଁ ଓ ଶଙ୍ଖଭଙ୍ଗାର ସର୍ବାଙ୍ଗୀଣ ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ସକ୍ରିୟ ସହଯୋଗ କରିବ ବୋଲି ମତବ୍ୟକ୍ତ କରିଥିଲେ । ସହ-ସଂଯୋଜକ ଡ଼. ସୁଜୟ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ୫ଟି ଗାଁର ମୋଟ ଜନସଂଖ୍ୟା ପ୍ରାୟ ୨,୬୭୪ । ସମସ୍ତ ଗାଁରେ ଆଦିବାସୀ ଜନସଂଖ୍ୟା ଅଧିକାଂଶ ଅଟେ । ମହିଳା ସାକ୍ଷରତା ହାର ତୁଳନାତ୍ମକ ଭାବେ ନିମ୍ନ ରହିଛି। ବିଶେଷକରି ନଦୀଗାଁରେ ସାକ୍ଷରତା ହାର ମାତ୍ର ୩୧.୩% ଓ ମହିଳା ସାକ୍ଷରତା ୧୫.୨% ରହିଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଗାଁଗୁଡ଼ିକରେ ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, ଜୀବିକା ବିକାଶ, ମହିଳା ସଶକ୍ତିକରଣ, ସ୍ୱଚ୍ଛତା ଓ ପରିମଳ, ଡିଜିଟାଲ୍ ଓ ଆର୍ଥିକ ସାକ୍ଷରତା ଆଦି କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ଯୋଜନା କରାଯାଇଛି । ବୁଢ଼ିଖାମାରୀ ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି । ବାଲିପାଳରେ ୯୯% ଆଦିବାସୀ ଜନସଂଖ୍ୟା ରହିଛି ଏବଂ ସାକ୍ଷରତା ହାର ୪୪.୫% । ଶଙ୍ଖଭଙ୍ଗା ଗାଁରେ ଦକ୍ଷତା ବିକାଶ ଓ ସ୍ୱାସ୍ଥ୍ୟ ହସ୍ତକ୍ଷେପ ପାଇଁ ଭଲ ସୁଯୋଗ ରହିଛି । ଉନ୍ନତ ଭାରତ ଅଭିଯାନ ମାଧ୍ୟମରେ ଏହି ଗାଁଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ । ଏହି ଜାର୍ଯ୍ୟକ୍ରମରେ ଏହି ଗ୍ରାମଗୁଡ଼ିକର ପଞ୍ଚାୟତ ନିର୍ବାହୀ ଅଧିକାରୀ, ୱାର୍ଡ୍ ମେମ୍ବର, ନାଏବ ସରପଞ୍ଚ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଗଣ ଯୋଗଦାନ କରି ତାଙ୍କ ଗ୍ରାମର ବିକାଶ କାର୍ଯ୍ୟକ୍ରମ ଗୁଡ଼ିକ କିପରି ହାତକୁ ନିଆଯାଇପାରିବ ସେ ଦିଗରେ ବିଶ୍ୱବିଦ୍ୟାଳୟର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସିଡିଓଇର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପରିବାର ସର୍ବେକ୍ଷଣର ତାଲିମ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)