
୧୯୭୨ ମସିହାରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ ନୂତନ ଭାବେ ଗଠିତ ରାଜ୍ୟ ସରକାର ରଥଯାତ୍ରାର ହେଉଥିବା ବିଳମ୍ବକୁ ବାହାନା କରି ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀ କଡ଼ାକଡ଼ି ଭାବେ ଲାଗୁ କଲେ l
ଯାତ୍ରା ଦିନ, ମୁଖ୍ୟମନ୍ତ୍ରୀଙ୍କର ଏକ ଜରୁରୀ କାର୍ଯ୍ୟକ୍ରମ ଏବଂ ବିମାନ ଯାତ୍ରା ଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ପ୍ରଭୂ ଜଗନ୍ନାଥଙ୍କ ପାରମ୍ପରିକ ରୀତିନୀତିକୁ ଶୀଘ୍ର ସାରିବାକୁ ନିର୍ଦେଶ ଦିଆଗଲା l
ସହଜେତ ନନ୍ଦିନୀ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀ ଙ୍କ ଝିଆରୀ l ଯାହାଙ୍କ ନା‘ରେ ଆଜି ବି ଓଡ଼ିଶାରେ କମ୍ୟୁନିଷ୍ଟ (CPI)ମୁଖ୍ୟାଳୟ ଭଗବତୀ ଭବନ ନାମରେ ଭୁବନେଶ୍ୱରରେ ଅବସ୍ଥିତ l
ନନ୍ଦିନୀଙ୍କ ବାଲ୍ୟକାଳ ଯେଉଁ ପାରିବାରିକ ପରିବେଶରେ କାଟିଥିଲା ତାହା ଥିଲା କମ୍ୟୁନିଷ୍ଟ ବିଚାରଧାରାର ପରିବେଶ,ସ୍ୱତଃ ହିନ୍ଦୁ ବିରୋଧି l
କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ପ୍ରବଳ ପ୍ରତାପୀ ସରକାର l “ଇନ୍ଦିରା ନନ୍ଦିନୀ ବଡ଼ ଚାତୁରୀ“ ଗୀତ ଗାଁ ଗାଁ ରେ ବାଜୁଥାଏ l ଯୁବା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଧରାକୁ ସରା ମଣୁ ଥାଆନ୍ତି l
ଏହି କ୍ରମରେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବାରୁ ହଟାଇ ନୀତିକାନ୍ତିରେ ଏକ ନୂଆ ପ୍ରୟୋଗ କଲେ l
ଏହି ପଦକ୍ଷେପ ଯୋଗୁଁ ଗଜପତି ଦିବ୍ୟସିଂହ ଦେବ (ଯିଏ ସେତେବେଳେ ମାତ୍ର ୧୯ ବର୍ଷର ଥିଲେ ଏବଂ ୧୯୭୦ ମସିହାରେ ସିଂହାସନ ଆରୋହଣ କରିଥିଲେ) ଙ୍କ ସହ ଜଡ଼ିତ ପାରମ୍ପରିକ ବିଧିକୁ ନନ୍ଦିନୀ ଦେବୀ ପାଦରେ ଦଳି ଦେଲେ l
ରଥ ପୂର୍ବ ଦିନରୁ ରାଜା କାନ୍ଦି କାନ୍ଦି ନିଜ ଘରେ କବାଟ କିଳୀ ଶୋଇଲେ l ପ୍ରଭୁଙ୍କୁ ସ୍ମରଣ କରିବା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ଚାରା ବି ନଥିଲା l
ପୁରୀ ଶ୍ରୀମନ୍ଦିରର ରେକର୍ଡ ଏବଂ ପ୍ପାରମ୍ପରିକ ଇତିହାସ ଅନୁଯାୟୀ ରଥଯାତ୍ରା ଦିନ ଶ୍ରୀ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଶେଷ ହେବା ପରେ ସେମାନେ ନିଜ ନିଜ ରଥରେ ବିଜେ କରି ସାରିଥିଲେ, କିନ୍ତୁ ଯେତେବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହେଲା, ସେ ନନ୍ଦିଘୋଷ ରଥର ‘ଚାରମାଳ’ ଉପରକୁ ଉଠୁଥିବା ସମୟରେ ହଠାତ୍ ଅଟକି ଗଲେ।
ସେବାୟତମାନଙ୍କ ଶତ ଚେଷ୍ଟା ମହାପ୍ରଭୁଙ୍କୁ ସେଠାରୁ ଟିକିଏ ବି ଘୁଞ୍ଚାଇ ପାରିନଥିଲା l
ସମସ୍ତ ନୀତିକାନ୍ତି ଠିକ ସମୟରେ ସମ୍ପନ୍ନ ହେଲା, କିନ୍ତୁ ସେବାୟତ ଓ ହଜାର ହଜାର ଭକ୍ତଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ମହାପ୍ରଭୁ ରହସ୍ୟଜନକ ଭାବେ ରଥକୁ ବିଜେ କରି ନଥିଲେ l
ପ୍ରଭୁ ଚାରମାଳ ଉପରେ ଅଟକି ରହିବାର କିଛି ସମୟ ମଧ୍ୟରେ ହଠାତ୍ ପୁରୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା ଏବଂ ପ୍ରବଳ ଘଡ଼ଘଡ଼ି ସହ ଝଡ଼-ବର୍ଷା ଆରମ୍ଭ ହେଇ ଗଲା , ଯାହା ଫଳରେ ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଗଲେ l
ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ (ପ୍ରାୟ ୧୦ ଘଣ୍ଟା) ସବୁ ନୀତି ଅଟକି ରହିଥିଲା l
ମୁଖ୍ୟମନ୍ତ୍ରୀ ଭାବିଲେ ସେବାୟତ ମାନେ ଜାଣି ଶୁଣି ଏମିତି କରୁଛନ୍ତି l ତେଣୁ ସେଠାରେ ଉପସ୍ଥିତ ଥିବା ତାଙ୍କ ପିତାଙ୍କ ବନ୍ଧୁ, ବରିଷ୍ଠ ସାହିତ୍ୟିକ ଅନ୍ନଦା ଶଙ୍କର ରାୟ ଙ୍କୁ ସେବାୟତଙ୍କୁ ପଇସା ଦେଇ ମନେଇବା ପାଇଁ ପଠାଇଲେ l ତାହାବି ହେଲା l ତଥାପି ପରିସ୍ଥିତିରେ କୌଣସି ଉନ୍ନତି ଆସି ନଥିଲା l
ପୂର୍ବବତ ଚାର ମାଳ ଉପରେ ଅଟକି ରହିଥିଲେ ମହାପ୍ରଭୁ ବଳିଆର ଭୁଜ l
ସେହି ସମୟରେ ବିଶିଷ୍ଟ OAS ଅଧିକାରୀ ଶ୍ରୀ ରବି ନାରାୟଣ ମିଶ୍ର (ଜଗତସିଂହପୁରର) ଶ୍ରୀମନ୍ଦିରର ଉପ-ପ୍ରଶାସକ ଭାବେ କାର୍ଯ୍ୟରତ ଥାଆନ୍ତି l
ସେ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଓ ପ୍ରଶାସନିକ ବ୍ୟବସ୍ଥାକୁ ସିଧାସଳଖ ତଦାରଖ କରୁଥିଲେ l
ସେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଏ ହେଉଛନ୍ତି ଭାବଗ୍ରାହୀ ଭାବର ଠାକୁର l
ଲୀଳା କରୁଛନ୍ତି l ଅଭିମାନ କରିଛନ୍ତି l
ଆପଣ ତାଙ୍କ ନୀତିକାନ୍ତି ରେ ହସ୍ତକ୍ଷେପ କରି ତାଙ୍କ ପ୍ରଧାନ ସେବକ ଗଜପତି ମହାରାଜାଙ୍କୁ ସେବାରୁ ଦୁରେଇ ରଖିଛନ୍ତି ବୋଲି ସେ ବୋଧେ ଏମିତି ଅଚଳବସ୍ଥା ସୃଷ୍ଟି କରିଛନ୍ତି l ଗଜପତିଙ୍କୁ ଡାକିବାର ଅନୁମତି ଦିଅନ୍ତୁ l ସବୁ ସମାଧାନ ହେଇଯିବ l
ମୁଖ୍ୟମନ୍ତ୍ରୀ ସହମତ ହେଲେ l ରବିବାବୁ ରାଜପ୍ରସାଦ ଯାଇ ମହାରାଜାଙ୍କୁ ଘଟଣା ସମ୍ପର୍କରେ ଜଣାଇ ରଥକୁ ଆସିବାକୁ ବିନୀତ ଅନୁରୋଧ କଲେ l
ବ୍ୟଥିତ ମହାରାଜା ସତେ ଯେପରି ଚାତକ ପରି ଚାହିଁ ରହିଥିଲେ ପ୍ରଭୁଙ୍କ ଦର୍ଶନ ପାଇଁ l ଯେମିତି ଲୁଗାଟିଏ ପିନ୍ଧି ଗାମୁଛା କାନ୍ଧରେ ପକାଇ ବସିଥିଲେ ସେମିତି, ସେହି ଅବସ୍ଥାରେ ଦଉଡ଼ି ଦଉଡ଼ି ଆସି ଚାରମାଳ ଉପରେ ପ୍ରଭୁଙ୍କୁ ପଛ ପଟୁ କୁଣ୍ଢେଇଧରି କାନ୍ଦିବାକୁ ଲାଗିଲେ l
କାନରେ ଫୁସୁ ଫୁସୁ କଣ ଦିପଦ କହିଦେଲେ l
ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଲା ବଡ଼ ଦାଣ୍ଡ l
ବାହୁଟି ସେବକ, ପିଠିଆ ସେବକ, ପେଟିଆ ସେବକ,ଗୋଡୁଆ ସେବକ ଆନନ୍ଦରେ ହରିବୋଲ ଦେଲେ, ବଳ ଲଗାଇଲେ l ଏକା ଥରେ, ଏମିତି ଲାଗିଲା ପ୍ରଭୁ ସତେକି ଡେଇଁ ପଡ଼ି ଆସନରେ ବିରାଜମାନ କରିଗଲେ l
ଡାହୁକ ଡାକ ଦେଲା “ହୋ ଭଗତେ,ହୋ ”
ରଥ ଟଣା ହେଲା….
ଗଜପତିଙ୍କ ମାନ ରକ୍ଷା କଲେ ପ୍ରଭୁ l ପାରମ୍ପରିକ ସମ୍ମାନ ଏବଂ ସେବା ପୁନଃପ୍ରତିଷ୍ଠିତ ହେବା ପରେ ହିଁ ରଥ ଶେଷରେ ବିନା କୌଣସି ବାଧାରେ ଆଗକୁ ଗଡ଼ିଥିଲା ଏବଂ ଉତ୍ସବଟି ଏକ ଅଭୂତପୂର୍ବ ପ୍ରଶାସନିକ ସଙ୍କଟରୁ ରକ୍ଷା ପାଇଗଲା ।
ଜଗନ୍ନାଥ ସଂସ୍କୃତିରେ ଏହା ଏକ ପ୍ରସିଦ୍ଧ ଐତିହାସିକ ଉଦାହରଣ ହୋଇ ରହିଛି, ଯାହା ଦର୍ଶାଏ ଯେ ଆଧ୍ୟାତ୍ମିକ ପରମ୍ପରା ସର୍ବଦା ରାଜନୈତିକ କ୍ଷମତା ଠାରୁ ଊର୍ଦ୍ଧ୍ୱରେ।
262 ଦିନର ନନ୍ଦିନୀ ସରକାରର ପତନ ହେଲା l ପରବର୍ତ୍ତୀ ପର୍ଯ୍ୟାୟରେ ନନ୍ଦିନୀ ପୁଣି ସରକାର କଲେ l ମାତ୍ର ଦୁଇ ବର୍ଷ 285 ଦିନ ପରେ ଇନ୍ଦିରା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଦେଲେ l
ଜୀବନର ସାୟାହ୍ନରେ ନନ୍ଦିନୀ ଦେବୀ ଦୀର୍ଘ 21ବର୍ଷ କାଳ ନିଶା,ଜରା ଏବଂ ପକ୍ଷାଘାତ ରୋଗର ଶିକାର ହୋଇ ଇହଲୀଲା ସମ୍ବରଣ କଲେ।
ଉପସ୍ଥାପନା:-
ପ୍ରଶାନ୍ତ କୁମାର ଜେନା
ସାମ୍ବାଦିକ, ପ୍ରେସ କ୍ଲବ, ଚଣ୍ଡିଖୋଲ,ଯାଜପୁର