ତେଲିଘଣାରେ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ (SIA) ଉପରେ ସାଧାରଣ ଶୁଣାଣି ଅନୁଷ୍ଠିତ

ରାଜଗାଙ୍ଗପୁର (କ ବ୍ୟୁ ) 01 .07.2026 : କୁତ୍ରା ବ୍ଲକର କଣ୍ଡେଇମୁଣ୍ଡା ଗ୍ରାମ ପଞ୍ଚାୟତର କଣ୍ଡେଇମୁଣ୍ଡା ଏବଂ ତେଲିଘଣା ମୌଜାରେ ପ୍ରସ୍ତାବିତ JSW ଶିବା ସିମେଣ୍ଟ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ସମ୍ପର୍କରେ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ (SIA) ଉପରେ ଏକ ସାଧାରଣ ଶୁଣାଣି ଆଜି, ୧ ଜୁଲାଇ, ୨୦୨୬ (ବୁଧବାର) ଦିନ ତେଲିଘଣା ଆମ୍ବ ବଗିଚା ପରିସର ରେ ଅନୁଷ୍ଠିତ ହୋଇଯାଇଅଛି ।
ଏଠାରେ ଉଲ୍ଲେଖନୀୟ ଯେ JSW ଶିବା ସିମେଣ୍ଟ କଣ୍ଡେଇମୁଣ୍ଡା ମୌଜାରେ ୬.୪୯ ଏକର ଜମିରେ ୧.୩୨ MTPA କ୍ଲିଙ୍କର୍ କ୍ଷମତା ଏବଂ ୧.୦୫ MTPA ସିମେଣ୍ଟ ଗ୍ରାଇଣ୍ଡିଂ କ୍ଷମତା ସହିତ ପ୍ଲାଣ୍ଟକୁ ବିସ୍ତାର କରିବାକୁ ଯୋଜନା କରୁଛି। ଏହି ପ୍ରକଳ୍ପ ପାଇଁ ଏକ ଓଭରଲ୍ୟାଣ୍ଡ ବେଲ୍ଟ କନଭେୟର ନିର୍ମାଣ ପାଇଁ ୧୯,୯୭୦ ଏକର ବ୍ୟକ୍ତିଗତ ଜମିର ପ୍ରସ୍ତାବିତ ଅଧିଗ୍ରହଣକୁ ଦୃଷ୍ଟିରେ ରଖି ଏହି ସାଧାରଣ ଶୁଣାଣି ଅନୁଷ୍ଠିତ ହୋଇଥିଲା । ସେହିପରି, ଅପରାହ୍ନ ୧ଟାରେ, କଣ୍ଡେଇମୁଣ୍ଡା ଗ୍ରାମପଞ୍ଚାୟତର ତେଲିଘଣା ମୌଜାରେ ୧.୩୨ MTPA କ୍ଲିଙ୍କର କ୍ଷମତା ଏବଂ ୧.୦୫ MTPA ସିମେଣ୍ଟ ଗ୍ରାଇଣ୍ଡିଂ କ୍ଷମତା ବୃଦ୍ଧି ପାଇଁ ୮୦,୧୨୦୦ ଏକର ଘରୋଇ ଜମି ଅଧିଗ୍ରହଣ ସମ୍ପର୍କରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ପ୍ରଭାବିତ ଅଞ୍ଚଳର ବହୁ ସଂଖ୍ୟକ ଗ୍ରାମବାସୀ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ସେମାନଙ୍କର ମତାମତ, ପରାମର୍ଶ ଏବଂ ଦାବି ଉପସ୍ଥାପନ କରିଥିଲେ। ଜମି ଅଧିଗ୍ରହଣ, କ୍ଷତିପୂରଣ, ଜୀବିକା, ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ସମେତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଜନଶୁଣାଣି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭଲପମେଣ୍ଟ ଷ୍ଟଡିଜ୍ (NCDS), ଭୁବନେଶ୍ୱର ଏବଂ ଗବେଷଣା ସଂଗଠନ, ଅଥର୍ବ ପ୍ଲାନିଂ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର ପ୍ରାଇଭେଟ୍ ଲିମିଟେଡ୍ ର ମିଳିତ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଭିମନ୍ୟୁ ମାଝୀ, ଉପଜିଲ୍ଲାଧିକାରୀ ତେଜସ୍ୱିନୀ ବେହେରା, ଭୂମି ଅଧିଗ୍ରହଣ ଅଧିକାରୀ ଜୟପ୍ରକାଶ କୁଜୁର, ବିଡିଓ ଗୋପୀନାଥ ଖାଖା, ତହସିଲଦାର ସାରସ୍ୱତ ରଞ୍ଜନ ଦାସ, ଏନସିଡିଏସ୍ ପ୍ରତିନିଧି ସବ୍ୟସାଚୀ ଅମିତାଭ ଏବଂ ଅକ୍ଷୟ ପରିଡା, ଏବଂ ଅତିରିକ୍ତ ତହସିଲଦାର ସଞ୍ଜୀବ ତିର୍କୀ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି.ଏସ୍. ରାଜେନ ଏକ୍କା, କଣ୍ଡେଇମୁଣ୍ଡା ସରପଞ୍ଚ ସୁଧୀର ମିଞ୍ଜ, ଅନେକ ଜନପ୍ରତିନିଧି ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ, ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ଜନଶୁଣାଣି ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଉଠାଯାଇଥିବା ସମସ୍ତ ପରାମର୍ଶ ଏବଂ ଆପତ୍ତିକୁ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ (SIA) ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସରକାରୀ ନିୟମ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *