ଦେବସ୍ନାନ ପୂର୍ଣ୍ଣିମା ପାଇଁ ନେମାଳରେ ଟ୍ରାଫିକ କଟକଣା

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସ ଓ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନେମାଳରେ ଟ୍ରାଫିକ କଟକଣା
ଜୁନ ୨୮ ରାତିରୁ ୨୯ ଜୁନ୍ ପର୍ଯ୍ୟନ୍ତ ଭାରୀ ଓ ମଧ୍ୟମ ମାଲବାହୀ ଯାନ ଚଳାଚଳ ଉପରେ କଟକଣା
କଟକ, ତା. ୨୭.୦୬.୨୦୨୬: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସ ଏବଂ ଦେବସ୍ନାନ ପୂର୍ଣ୍ଣିମା (ଜ୍ୟେଷ୍ଠ ପୂର୍ଣ୍ଣିମା) ଉପଲକ୍ଷେ ନେମାଳ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ କଟକଣା ଜାରି କରାଯାଇଛି। ଭକ୍ତମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଯାତାୟାତ ସହ ଟ୍ରାଫିକ ଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ଜୁନ ୨୮ ତାରିଖ ରାତିରୁ ୨୯ ତାରିଖ ୨୦୨୬ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଆରଟିଏ ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଦ୍ୱାରା ଜାରି ଆଦେଶ ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମା ଅବସରରେ କଟକ ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାଗୁଡ଼ିକରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନେମାଳ ପୀଠକୁ ଆସିବେ। ଏହାକୁ ଦୃଷ୍ଟିରେ ରଖି ମୋଟର ଯାନ ଆଇନ–୧୯୮୮ର ଧାରା–୧୧୫ ଏବଂ ଓଡ଼ିଶା ମୋଟର ଯାନ ନିୟମାବଳୀ–୧୯୯୩ର ନିୟମ–୧୭୩ ଅନୁଯାୟୀ ଏହି ଟ୍ରାଫିକ ବ୍ୟବସ୍ଥା ଲାଗୁ କରାଯାଇଛି।
ଆଦେଶ ଅନୁସାରେ, ତିନିମୁହାଣି ଛକରୁ ନରେନ୍ଦ୍ରପୁର ଛକ ପର୍ଯ୍ୟନ୍ତ ନଦୀବନ୍ଧ (ରିଙ୍ଗ ରୋଡ୍) ଏବଂ କେନାଲ ବନ୍ଧ ରାସ୍ତାରେ ଭାରୀ ମାଲବାହୀ (Heavy Goods Vehicles) ଓ ମଧ୍ୟମ ମାଲବାହୀ (Medium Goods Vehicles) ଯାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ।
ସେହିପରି ତିନିମୁହାଣି ବ୍ରିଜ୍, ନେମାଳ ବ୍ରିଜ୍, ନାଗାସପୁର ବ୍ରିଜ୍, ନାଇଗୁଆଁ ବ୍ରିଜ୍ ଏବଂ ନରେନ୍ଦ୍ରପୁର ବ୍ରିଜ୍ ଉପରେ ମଧ୍ୟ ଏହି ଶ୍ରେଣୀର ମାଲବାହୀ ଯାନ ଚଳାଚଳ ନିଷିଦ୍ଧ ରହିବ। ଏହା ଦ୍ୱାରା ଟ୍ରାଫିକ ଜାମକୁ ଏଡ଼ାଇବା ସହ ଶ୍ରଦ୍ଧାଳୁମାନଙ୍କ ନିର୍ବିଘ୍ନ ଯାତାୟତ ଓ ନେମାଳ ପୀଠରେ ସୁରକ୍ଷିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରାଯିବ।
ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲବାହୀ ଯାନ ଚାଳକମାନଙ୍କୁ ଏହି ସମୟ ମଧ୍ୟରେ ବିକଳ୍ପ ମାର୍ଗ ବ୍ୟବହାର କରିବା ସହ ପୋଲିସ ଓ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି। ସାଧାରଣ ଲୋକ ଏବଂ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ କାମନା କରିଛି ।

Leave a Reply

Your email address will not be published. Required fields are marked *