ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଡି.ଜି. ଅଫିସ୍ ଆଗରେ ବିକ୍ଷୋଭ

କଟକ ତା ୨୫/୦୬/୨୬ରିଖ : ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, କ୍ରମବଦ୍ଧିଷ୍ଣୁ ଅପରାଧ, ଭିଡ଼ ହିଂସା, ସାଂପ୍ରଦାୟିକ ଉତ୍ତେଜନା, ମହିଳା, ଶିଶୁମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅତ୍ୟାଚାର, ସାଇବର ଅପରାଧ ଓ ସଂଗଠିତ ମାଫିଆରାଜ୍ ବିରୋଧରେ ତୁରିତ ଓ ଦୃଢ ପଦକ୍ଷେପ ନେବା ଦାବିରେ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଓଡ଼ିଶା ରାଜ୍ୟ କମିଟି ତରଫରୁ ଏକ ବିକ୍ଷୋଭ ପୁଲିସ ମହାନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ମାତାମଠ ଠାରୁ ବାହାରି ଡି.ଜି. ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲା। ପାର୍ଟି ତରଫରୁ ପୁଲିସ ଡି.ଜି.ଙ୍କ ଉଦ୍ଦେଶ୍ୟରେ ଦିଆଥବା ସ୍ମାରକ ପତ୍ରରେ କୁହାଯାଇଛି ଯେ, ଗତ ଦୁଇ ବର୍ଷ ଧରି ରାଜ୍ୟରେ ଯେଭଳି ଭାବରେ ଅପରାଧର ମାତ୍ରା ବୃଦ୍ଧି ପାଇଛି, ତାହା ରାଜ୍ୟବାସୀଙ୍କ ମନରେ ଗଭୀର ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି । ଏହି ସମୟ ମଧ୍ୟରେ ଅପରାଧ, ଗୁଣା, ମାଫିଆ ଓ ସାଂପ୍ରଦାୟିକ ଉତ୍ତେଜନାକାରୀ ଶକ୍ତିମାନେ ଅଧୂକ ସାହସୀ ହେଉଥିବାବେଳେ ପୁଲିସ ପ୍ରଶାସନ ଅନେକ କ୍ଷେତ୍ରରେ ନିରବ, ନିଷ୍କ୍ରିୟ ଓ ପ୍ରଭାବହୀନ ଭାବେ ପରିଲକ୍ଷିତ ହେଉଛି। ୨୦୨୪ ଓ ୨୦୨୫ ବର୍ଷରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଏ କଥା ପ୍ରମାଣ କରୁଅଛି। ରାଜ୍ୟରେ ବଢ଼ୁଥିବା ଭିଡ଼ ହିଂସା ଏବେ ରାଜ୍ୟରେ ଆଇନର ଶାସନ ପ୍ରତି ଏକ ଖୋଲା ଚ୍ୟାଲେଞ୍ଜରେ ପରିଣତ ହୋଇଛି। ବାଲିଅନ୍ତା ଥାନା ଅଞ୍ଚଳରେ ଜି.ଆର୍.ପି କନେଷ୍ଟବଳଙ୍କ ହତ୍ୟା, କଲ୍ୟାଣସିଂପୁରରେ ଦୁଇ ଗବେଷଣାରତ ଯୁବ କର୍ମୀଙ୍କୁ ଆକ୍ରମଣ, ଯୁବତୀଙ୍କୁ ଅପମାନିତ କରି ବିରକ୍ଷା କରାଯିବା ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତିର ଅତ୍ୟନ୍ତ ଭୟଙ୍କର ରୂପକୁ ଦର୍ଶାଉଛି ।

ଏହି ପରିପ୍ରେକ୍ଷୀରେ ସି.ପି.ଆଇ.(ଏମ୍) ତରଫରୁ ଦାବି କରାଯାଇ ଅଛି ଯେ, ରାଜ୍ୟ ବ୍ୟାପୀ ଅପରାଧ, ଗୁଣ୍ଡାରାଜ ଓ ମାଫିଆମାନଙ୍କ ବିରୋଧରେ ସ୍ଵତନ୍ତ୍ର ଅଭିଯାନ ଗ୍ରହଣ କରାଯାଉ। ଭିଡ଼ ହିଂସା ମାମଲାର ଫାଷ୍ଟଟ୍ରାକ୍ଟ ତଦନ୍ତ କରାଯାଇ ହିଂସା ରୋଜିବାପାଇଁ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ଏସ୍.ଓ.ପି. ପ୍ରଣୟନ କରାଯାଉ । ସାଂପ୍ରଦାୟିକ ହିଂସା ଓ ଘୃଣା ପ୍ରଚାର କରିବା ଶକ୍ତି, ଆତ୍ମଘୋଷିତ ଗୃହରକ୍ଷକବାହିନୀ ଏବଂ ଆଇନକୁ ହାତକୁ ନେଉଥିବା ସରକାରୀ ସମର୍ଥିତ ସମସ୍ତ ଶ୍ରେଣୀର ଗୋଷ୍ଠୀଗୁଡିକୁ ନିୟନ୍ତ୍ରଣ କରାଯାଉ । ପୁଲିସ ବିଭାଗରେ ଥିବା ସମସ୍ତ ଖାଲି ପଦବୀ ତୁରନ୍ତ ପୂରଣ କରାଯାଉ, ପୁଲିସ ପ୍ରଶାସନକୁ ରାଜନୈତିକ ପ୍ରବାହ ମୁକ୍ତ ରଖ୍ ଆଇନର ନିରପେକ୍ଷ ପ୍ରଯୋଗକୁ ସୁନିଶ୍ଚିତ କରାଯାଉ ବୋଲି ସି.ପି.ଆଇ.( ଏମ୍) ତରଫରୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଆଜିର ଏହି ବିକ୍ଷୋଇ ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବଦ୍ରି ନାରାୟଣ ଦାଶ ସଭାପତିତ୍ୱ କରିଥିଲେ। ରାଜ୍ୟ ସଂପାଦକ ତଥା କେନ୍ଦ୍ର କମିଟି ସଭ୍ୟ ସୁରେଶ ପାଣିଗ୍ରାହୀ, ବରିଷ୍ଠ ନେତା ଜନାର୍ଦ୍ଦନ ପତି ପ୍ରମୁଖ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଉଦ୍‌ବେଗ ପ୍ରକାଶ କରି ବକ୍ତବ୍ୟ ରଖୁଥିଲେ। ରାଜ୍ୟ କମିଟି ସଦସ୍ୟ ଗିରିଶ ମହାରଣା, ଗୟାଧର ଧଳ, ନିର୍ମଳ ରଥ, ଲୋଲାକାନ୍ତ ସ୍ମାଇଁଙ୍କ ସମେତ ଜଗତ୍‌ସିଂହପୁର ଜିଲ୍ଲା ସଂପାଦକ ଗଣେଷ ମାଣିଆ, ଢେଙ୍କାନାଳ ଜିଲ୍ଲା ସଂପାଦକ ସର୍ବଜ୍ଞ ସାହୁଙ୍କ ସମେତ ବହୁ ନେତୃବୃନ୍ଦ ନେତୃତ୍ୱ ନେଇ ବକ୍ତବ୍ୟ ରଖୁଥିଲେ । ଶେଷରେ ବରିଷ୍ଠ ନେତା ଜନାର୍ଦ୍ଦନ ପତିଙ୍କ ନେତୃତ୍ବ ଏକ ପ୍ରତିନିଧି ମଣ୍ଡଳୀ ଡି.ଜି.ଙ୍କ ସହ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ ସହ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ଏବଂ ପୋଲିସ ଆଇନ ସମ୍ମତ ନିରପେକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମଲ୍ଲିକ, ଜଗତ୍‌ଜୀବନ ଦାସ, ପ୍ରଦୀପ୍ତ ନାୟକ, ବିଷ୍ଣୁ ବେହେରା, ପ୍ରତାପ ମହାପାତ୍ର, ଅଭୟ ସ୍ଵାଇଁ ପ୍ରମୁଖ ଶୋଭାଯାତ୍ରାରେ ନେତୃତ୍ବ ନେଇଥିଲେ।

Leave a Reply

Your email address will not be published. Required fields are marked *