ଚଣ୍ଡିଖୋଲ, ୨୪/୦୬(କ.ପ୍ର): ବଡ଼ଚଣା କୃଷି ବିଜ୍ଞାନକେନ୍ଦ୍ର ପରିସରରେ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କୃଷି ଅଧିକାରି ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତା ଓ ଯାଜପୁର କୃଷି ଅଧିକାରିଙ୍କ ସଂଚଳନାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼. ରବିନାରାୟଣ ବେହେରା ଯୋଗଦେଇ ଜୈବକ କୃଷି ପ୍ରତି ଚାଷିମାନେ ଯତ୍ନବାନ ହେବାକୁ ଆହ୍ୱାନ କରିବା ସହିତ ଗ୍ରାମାଂଚଳରେ ଅଧିକ ପ୍ରସାର ପ୍ରଚାର କରାଗଲେ ଚାଷିମାନେ ସଚେତନ ହୋଇପାରନ୍ତେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ବିଧାୟକ ଅମର କୁମାର ନାୟକ ଯୋଗଦେଇ ଆମେ କେବଳ କେଭିକେ ପରିସରରେ ବସି ଏକଘଣ୍ଟିଆ କୃଷି କାର୍ଯ୍ୟକ୍ରମ କରିଦେଲେ ତାହା ଚାଷୀ ସଚେତନ ହୋଇପାରିବେ ନାହିଁ ବୋଲି କହିବା ସହିତ ଗାଁ ଗୁଡିକରେ କୃଷି ବିଭାଗ ପକ୍ଷରୁ ଏହି କୃଷି ସଚେତନତା କରାଗଲେ ଏଥିରେ ଚାଷିମାନେ ପ୍ରକୃତରେ ସଚେତନ ହୋଇପାରିବେ ବୋଲି ନିଜର ମତ ରଖିଥିଲେ l ବଡ଼ଚଣା କୃଷି ଅଧିକାରି କହିପାରିବେ କି ଆମ ବଡ଼ଚଣା ବ୍ଲକ ର କେତୋଟି ଗାଁରେ ଏହି କୃଷି ସଚେତନତା କଲେଣି l ଯଦି ଆମେ ପ୍ରକୃତରେ କୃଷକ ଙ୍କୁ କୃଷି ଉପରେ ସଚେତନ କରିବା ତେବେ ପ୍ରତି ଗାଁରେ ଏପରି କାର୍ଯ୍ୟକ୍ରମ କରିବା ଆବଶ୍ୟକ ରହିଛି ବୋଲି କହିଥିଲେ l ପ୍ରାକୃତିକ ଚାଷ ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, କୃଷି ବିଦ୍ୟାନିଧି ଯୋଜନା, ଶ୍ରୀ ଅର୍ଣ୍ଣ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଆଦି ଅନେକ ଯୋଜନା ଉପରେ ଆଲୋଚନା ହୋଇଥିଲା l ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଏକଶହ ରୁ ଉର୍ଦ୍ଧ୍ୱ ଚାଷୀ ଯୋଗଦେଇ ପ୍ରଶକ୍ଷଣ ନେଇଥିଲେ l ଏହି ଜିଲ୍ଲାସ୍ତରୀୟ କୃଷି କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ଧର୍ମଶାଳା କୃଷି ଅଧିକାରି ସରୋଜ ଗିରି, ଯାଜପୁର କୃଷି ଅଧିକାରି ପିୟୁଷ ପଲ୍ଲଵ ପରିଡା, କୃଷି ଜିଲ୍ଲା ଅଧିକାରି ଭବାନି ଶଙ୍କର ମିଶ୍ର,ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସଚ୍ଚିକାନ୍ତ ବଳସାମନ୍ତ, ବୈଜ୍ଞାନିକ ଲଳିତ କୁମାର ମହାନ୍ତି, ବଡ଼ଚଣା ବ୍ଲକ କୃଷି ଅଧିକାରି ରାତିକାନ୍ତ ସେଠୀ ଯୋଗଦେଇଥିଲେ l ପରେ ସନ୍ଧ୍ୟା ପର୍ଯ୍ୟନ୍ତ କୃଷି କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏବଂ କୃଷକ ମାନେ ଅନେକ ଉପାଦେୟ ତଥ୍ୟ ସଂଗ୍ରହ କରିଥିଲେ l