
ବିଶ୍ବ ଦରବାରେ ସପ୍ତ ମହାଦେଶ
ଏସିଆ ସବୁଠୁ ବଡ଼ ,
ଉତ୍ତର ଦକ୍ଷିଣ ଆମେରିକା ନାମେ
ଦ୍ବିତୀୟେ ଆଫ୍ରିକା ଅଗ୍ର ।
ସବୁଠାରୁ କ୍ଷୁଦ୍ର ଅଷ୍ଟ୍ରେଲିଆ ସାଥେ
ଆଣ୍ଟର୍କଟିକା ୟୁରୋପ,
ପୃଥିବୀରେ ପ୍ରାୟ ଦୁଇ ଶହ ଦେଶ
ବୃହତ୍ତ କ୍ଷୁଦ୍ର ସ୍ବରୂପ ।
ଜନେ ନାଗରିକ ଗୋଟିଏ ଦେଶର
ଅନ୍ଯ ଦେଶେ ପ୍ରବାସୀୟ,
ଦେଶାନ୍ତର ଜନେ ପ୍ରବାସୀ ଗଣନେ
ବସବାସ ବିଧାନୀୟ ।
ବୃତ୍ତି ଓ ବାଣିଜ୍ଯ ବିଧାନ ସଂଗତ
ଅନୁପ୍ରବେଶ ଅମାନ୍ଯ,
ସଂକଟ କାଳରେ ଦେଶାନ୍ତର ଜନେ
ଶରଣାର୍ଥୀୟ ବିଚାର୍ଯ୍ୟ ।
ପଡ଼ୋଶୀ ରାଷ୍ଟ୍ରରେ ଏମନ୍ତ ପ୍ରବେଶ
ଜୋରଜବରଦସ୍ତ,
ଆଫ୍ରିକୀୟ ଦେଶେ ବିଚାର ବିମର୍ଶେ
ଶରଣାର୍ଥୀ ଦିନ କୃତ ।
ରାଷ୍ଟ୍ର ସରକାରେ ଦୟା ପ୍ରଦର୍ଶନେ
ଶରଣାର୍ଥୀ ବସବାସ,
ଦେଶ ଦେଶ ମଧ୍ଯେ ସାହାଯ୍ଯ ସୌହାର୍ଦ୍ଦ୍ୟେ
ଶରଣାର୍ଥୀୟ ଦିବସ ।
ଦି’ ହଜାର ସନେ ସୁବର୍ଣ୍ଣ ଜୟନ୍ତୀ
ଏମନ୍ତ ଦିବସ ମାନ୍ଯ,
ଜାତିସଂଘ ଦ୍ବାରା ସ୍ବୀକୃତ ଦିବସ
ଜୁନ କୋଡ଼ିଏ ବିଧାନ ।
ଦି’ ହଜାର ଏକ ସନରୁ ପାଳିତ
ବିଶ୍ବ ଶରଣାର୍ଥୀ ଦିନ,
କିନ୍ତୁ ଆଜିକାଲି ଶରଣାର୍ଥୀବୃନ୍ଦ
ଦେଶେ ସଂକଟ ଉତ୍ପନ୍ନ ।
ଜନସଂଖ୍ଯା ବୃଦ୍ଧି ଚୋରୀ-ଡକାୟତି
କୁକର୍ମେ ଦେଶ ସଂକଟ,
ବାଂଲାଦେଶୀ ଜନ ଏମନ୍ତ ଦୃଷ୍ଟାନ୍ତ
ଭାରତରେ ଅସ୍ତବ୍ୟସ୍ତ ।
ଶରଣାର୍ଥୀ ଜନ ସୁନ୍ଦର ସ୍ବଭାବ
ହେଲେ ଆତିଥୀୟ ମାନ୍ଯ,
ବ୍ଯତିକ୍ରମ ହେଲେ ଶରଣାର୍ଥୀ ଭାଗ୍ଯେ
ଦୁର୍ଦ୍ଦଶା ଓ ବିତାଡ଼ନ ।
ଦେଶ ଜନଗଣ ସୁରକ୍ଷାରେ ଧ୍ଯାନ
ରାଷ୍ଟ୍ରୀୟ କର୍ତ୍ତବ୍ଯ ନ୍ଯାସ,
ବିଶ୍ବ ଶରଣାର୍ଥୀ ଦିବସ ବିନ୍ୟାସ
ଭାଳେ ଶମ୍ଭୁନାଥ ଦାସ ।■