କଟକ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣମୂଳକ ଯୋଜନାର ସମୀକ୍ଷା କଲେ ନୋଡାଲ ସଚିବ ଶ୍ରୀ ସଞ୍ଜିବ କୁମାର ମିଶ୍ରଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଲୋକଙ୍କ ନିକଟରେ ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ

କଟକ, ତା.୧୯.୦୬.୨୦୨୬: କଟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି, ସରକାରଙ୍କ ପ୍ରମୁଖ ଯୋଜନାଗୁଡିକର କାର୍ଯ୍ୟାନ୍ୱୟନ ଏବଂ ଜନସେବାମୂଳକ କାର୍ଯ୍ୟକ୍ରମର ସ୍ଥିତି ସମ୍ପର୍କରେ ଆଜି ଅର୍ଥ ବିଭାଗର ପ୍ରମୁଖ ସଚିବ ତଥା କଟକ ଜିଲ୍ଲାର ନୋଡାଲ ସଚିବ ଶ୍ରୀ ସଞ୍ଜିବ କୁମାର ମିଶ୍ର ସମୀକ୍ଷା କରିଛନ୍ତି।
ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର ଅଗ୍ରଗତି ସମ୍ପର୍କରେ ନୋଡାଲ ସଚିବଙ୍କୁ ଅବଗତ କରାଇଥିଲେ।
ଏହି ବୈଠକରେ ଡିସିପି ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସପି ଶ୍ରୀ ବିନୀତ ଅଗ୍ରୱାଲ, କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରନଦୀପ କୌର ସହୋତା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସମୀକ୍ଷା ସମୟରେ କଟକ ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯଥା ଅଡିଟୋରିୟମ ନିର୍ମାଣ, ବିଶ୍ୱନାଥ ପଣ୍ଡିତ ପାଠାଗାରର କାର୍ଯ୍ୟ, ବିଭିନ୍ନ ୱାର୍ଡରେ ଜଳ ନିଷ୍କାସନ ସମସ୍ୟାର ସମାଧାନ, ଫୁଡ୍ କୋର୍ଟ ନିର୍ମାଣ ଆଦି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଶ୍ରୀ ମିଶ୍ର ଅବଗତ ହୋଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଡିସିପି ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ ସମୀକ୍ଷା କରି ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ପ୍ରଶାସନର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚିବଙ୍କୁ ଅବଗତ କରାଇଥିଲେ।
ସ୍ୱାସ୍ଥ୍ୟ କ୍ଷେତ୍ରରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ନୂତନ କ୍ୟାମ୍ପସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରାଯାଇଥିଲା। ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସହାୟକଙ୍କ ସୁବିଧା ପାଇଁ ଆଶ୍ରୟ ଗୃହ ନିର୍ମାଣ ଉପରେ ନୋଡାଲ ସଚିବ ବିଶେଷ ଗୁରୁତ୍ୱ ଦେଇଥିଲେ।
ସମାଜ ମଙ୍ଗଳ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସୁଭଦ୍ରା ଯୋଜନା, ପୋଷଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆଦିର ପ୍ରଗତି ନେଇ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, କୃଷି, ଉଦ୍ୟାନ କୃଷି, ହସ୍ତଶିଳ୍ପ ଓ ହସ୍ତତନ୍ତ, ଯୋଗାଣ, ପର୍ଯ୍ୟଟନ, ସଂସ୍କୃତି ଓ ଶିକ୍ଷା ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ନୋଡାଲ ସଚିବ ପଚାରି ବୁଝିଥିଲେ।
ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ସନ୍ତୋଷ ପ୍ରକାଶ କରି ଶ୍ରୀ ମିଶ୍ର ସମସ୍ତ ବିଭାଗକୁ କାର୍ଯ୍ୟର ଗତି ବୃଦ୍ଧି କରିବା ସହ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡିକ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ। ଲୋକମାନଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ସଠିକ ଭାବେ ପହଞ୍ଚିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହା ପୂର୍ବରୁ ଶ୍ରୀ ମିଶ୍ର ପୂର୍ବାହ୍ନରେ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ଶିଶୁ ଯତ୍ନ ଅନୁଷ୍ଠାନ, ଅକ୍ଷୟ ପାତ୍ର ଫାଉଣ୍ଡେସନ ଓ ତାରକସୀ ହବ୍ ପରିଦର୍ଶନ କରି ସେଠାରେ ଚାଲିଥିବା କାର୍ଯ୍ୟକ୍ରମ ଓ ସେବା ସମ୍ପର୍କରେ ଅବଗତ ହୋଇଥିଲେ।

Leave a Reply

Your email address will not be published. Required fields are marked *