ବିନା ପି ଡି ଆଇ ରେ ଟାଟା ଗାଡି ବିକ୍ରି କରିଛି ଲଙ୍କେଶ୍ୱରୀ ମୋଟର୍ସ

୧୪ ମାସରେ ୫ଥର (୫୦ଦିନରୁ ଉର୍ଦ୍ଧ୍ବ)ଜୟପୁର ନେଇ ମଧ୍ୟ ଏସି ସଜାଡିବାରେ ଅସମର୍ଥ ଲଙ୍କେଶ୍ୱରୀ ମୋଟର୍ସ । ଆର୍ଥିକ କ୍ଷତି, ଅପମାନ ସହ ମାନସିକ ଚାପରେ ଗାଡି ମାଲିକ

ଗାଡି ପରିବର୍ତ୍ତନ ନହେଲେ ସୋ ରୁମ ସାମନାରେ ଶାନ୍ତିପୂର୍ଣ୍ଣ ଉପାୟରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେବି ବୋଲି ସୂଚନା ଦେଇଛନ୍ତି ଗାଡ଼ି ମାଲିକ

ରାୟଗଡ : ରାୟଗଡ କତାପେଟା ଠାରେ ରହିଥିବା ଜୟପୁର ଲଙ୍କେଶ୍ୱରୀ ମୋଟର୍ସ ଶାଖା ଟାଟା ସୋ ରୁମରୁ ରାୟଗଡ ବାସିନ୍ଦା ଅଜୟ ରଥ ଗତ ୧୪ ଏପ୍ରିଲ ୨୦୨୫ରେ ବ୍ୟାଙ୍କ ଲୋନ କରି ଗୋଟିଏ ଟାଟା ଟିଆଗୋ କିଣିଥିଲେ । କିଣିବା ଦିନଠାରୁ ଏସି କମ ଥଣ୍ଡା ରହୁଥିବାରୁ କତାପେଟା ଶାଖା ଦାୟିତ୍ୱରେ ଥିବା ଶ୍ରୀକାନ୍ତ ପଟନାୟକଙ୍କୁ ମୌଖିକ ଭାବେ ବାରମ୍ବାର ଅଭିଯୋଗ ସହ ଟାଟା ଗ୍ରାହକ ସେବାରେ ଅଭିଯୋଗ ପରେ ଶ୍ରୀକାନ୍ତ ପଟନାୟକ
ପ୍ରଥମ ସର୍ଭିସିଂରେ ଠିକ କରିବାକୁ ପ୍ରତିଶ୍ରୁତି ଦେଲେ । ଭୁବନେଶ୍ୱରରେ କାର ପ୍ରଥମ ସର୍ଭିସିଂ ଗତ ୧୩ ଜୁନ ୨୦୨୫ରେ ଭୁବନେଶ୍ୱରର ଶ୍ରୀକ୍ଷେତ୍ର ଅଟୋମଟିଭରେ କରାଇବା ପରେ ଗାଡି ମାଲିକ ଜାଣିବାକୁ ପାଇଲେ ଲଙ୍କେଶ୍ୱରୀ ମୋଟର୍ସ ବିନା ପ୍ରି ଡେଲିଭେରୀ ଇନ୍ସପେକ୍ସନ(ପିଡ଼ିଆଇ) ରେ ଗାଡି ବିକ୍ରି କରିଛନ୍ତି । ପିଡ଼ିଆଇ ହୋଇନଥିବା ଜାଣିବା ପରେ ମାଲିକ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବିକ୍ରେତା ୧୪ ଏପ୍ରିଲ ୨୦୨୫ରେ କାର ବିକ୍ରି କରିବାର ୨ମାସ ପରେ ଅର୍ଥାତ ୧୬ ଜୁନ ୨୦୨୫ ରେ ତାହା ପୁଣି ରାୟଗଡରେ ମାଲିକଙ୍କ ପାଖରେ ଗାଡି ରହିଥିବା ବେଳେ ଜୟପୁର ଲଙ୍କେଶ୍ୱରୀ ମୋଟର ତରଫରୁ ପିଡ଼ିଆଇ କରାଯାଇଥିଲା । ନିୟମ ଅନୁଯାୟୀ ଗାଡି ବିକ୍ରି ପୂର୍ବରୁ ପିଡ଼ିଆଇ କରାଯିବା କଥା । ଏହା କରିବା ଦ୍ୱାରା ଗାଡିର ସମସ୍ତ ପ୍ରକାର ଯାଞ୍ଚ ଦ୍ୱାରା କୌଣସି ସମସ୍ୟା ରହିଥିଲେ ତାକୁ ସଜାଡି ଗ୍ରାହକଙ୍କୁ ଦେବା ନିୟମ ରହିଛି । ଏହା ନକରିବାରୁ ଗାଡି ମାଲିକ ବର୍ତ୍ତମାନ ମାନସିକ ଆର୍ଥିକ କ୍ଷତି ସହ ଅପମାନ ଭଳି ମାନସିକ ଚାପରେ ହନ୍ତସନ୍ତ ହେଉଛନ୍ତି । ଗାଡି କିଣି ଦୀର୍ଘ ୧୪ ମାସ ବିତି ଯାଇଥିଲେବି ଛାର ଏସି ଟିଏ ସଜାଡ଼ି ଦେବାରେ ଅସମର୍ଥ ଲଙ୍କେଶ୍ୱରୀ ମୋଟର୍ସ । ୧୪ ମାସ ମଧ୍ୟରେ ଗାଡି ଜୟପୁରକୁ ସଜାଡ଼ିବା ପାଇଁ ପାଞ୍ଚ ଥର ପ୍ରାୟ ୫୦ଦିନରୁ ଉର୍ଦ୍ଧ୍ଵ ରଖି ଆଜି ପର୍ଯ୍ୟନ୍ତ ସ୍ଥାୟୀ ଭାବରେ ସଜାଡ଼ିବାରେ ସମ୍ପୁର୍ଣ୍ଣ ବିଫଳ ଲଙ୍କେଶ୍ୱରୀ ମୋଟର୍ସ। ସେଥିରେ ପୁଣି ୧୬ ହଜାର କିଲୋମିଟର ଚାଲିବା ପରେ ସାମନା ଚକାର ଡ୍ରମରୁ ବିକଟାଳ ଶବ୍ଦ ବାହାରିବାରୁ ତାହା ପରିବର୍ତନ କରି ୬୭୭୭ଟଙ୍କା ଅଯଥା ଖର୍ଚ୍ଚ ପାଇଁ କ୍ଷତି ସହିବାକୁ ପଡିଛି ମାଲିକଙ୍କୁ ।

ତେବେ ବର୍ତ୍ତମାନ ପୁଣି ୫ମ ଥର ସମାନ ସମସ୍ୟା ପାଇଁ ଗାଡି ଜୟପୁର ଲଙ୍କେଶ୍ୱରୀ ମୋଟର୍ସ ପଠେଇଛନ୍ତି ରାୟଗଡ ଶାଖା ଶ୍ରୀକାନ୍ତ ପଟନାୟକ। ବର୍ତ୍ତମାନ ସଜାଡି ଆଣିବା ପରେ ସ୍ଥାୟୀ ପ୍ରତିକାର କରାଯାଇଥିବା ନେଇ ଗ୍ୟାରେଣ୍ଟି କେତେ ଦୂର ଦେବେ ବୋଲି ଶ୍ରୀକାନ୍ତ ପଟନାୟକଙ୍କୁ ପଚାରିବାରୁ ତାହାର ଗ୍ୟାରେଣ୍ଟି ଦେଇପାରିବି ନାହିଁ ବୋଲି ପ୍ରକାଶ କରିଛନ୍ତି । ଫଳରେ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଥିବାରୁ ମାଲିକ ଶ୍ରୀ ରଥ ମାନସିକ ଚାପରେ ଗତି କରୁଥିବା ସହ ବାହାରକୁ ଯିବା ସମୟରେ ଭଡାସୂତ୍ରରେ ଗାଡି ନେଇ ଆର୍ଥିକ କ୍ଷତି ଏବଂ ଠିକାଦାର କାର୍ଯ୍ୟରେ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କୁ ନେବା ବେଳେ ବାରମ୍ବାର ଅପମାନ ସହୁଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ମାଲିକ କିଣିଥିବା ଟାଟା ଟିଆଗୋ ଗାଡ଼ି ଉପରେ ସମ୍ପୂର୍ଣ୍ଣ ଭରସା ତୁଟିଯିବା ପ୍ରକାଶ କରିଛନ୍ତି ମାଲିକ ଶ୍ରୀ ରଥ ।

ବର୍ତ୍ତମାନ ସେହି ଗାଡି ପରିବର୍ତ୍ତନ କରି ଅନ୍ୟ ନୂଆ ଗାଡି ପ୍ରଦାନ କରିବା ପାଇଁ ଟାଟା ପାସେଞ୍ଜର ଗାଡି ବ୍ୟବସାୟ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ନିକଟକୁ ଇମେଲ ମାଧ୍ୟମରେ ୧୪ମାସ ମଧ୍ୟରେ ସମ୍ମୁଖୀନ ହୋଇଥିବା ଅସୁବିଧା ଅବଗତ କରିବା ସହ ଗାଡି ପରିବର୍ତନ କରି ଅନ୍ୟ ଏକ ଗାଡି ଦେବାକୁ ଅନୁରୋଧ କରିଛନ୍ତି । ଯଦି ଗାଡି ପରିବର୍ତନ ନ କରନ୍ତି ତେବେ ସାମାଜିକ ଗଣମାଧ୍ୟମ ସହ ଅନ୍ୟାନ୍ୟ ଗଣମାଧ୍ୟମ ଏବଂ ଖାଉଟି ଅଦାଲତର ଆଶ୍ରୟ ନେବା ସହ ଟାଟା ମୋଟର୍ସ ଲଙ୍କେଶ୍ୱରୀ କତାପେଟା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଉପାୟରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେବି ବୋଲି ସୂଚନା ଦେଇଛନ୍ତି ଗାଡି ମାଲିକ ଅଜୟ ରଥ ।

Leave a Reply

Your email address will not be published. Required fields are marked *