
ବାରିପଦା/ଉଦଳା(କ: ବ୍ଯୁ)ତା୧୪/୦୬/୨୦୨୬ ମୟୂରଭଞ୍ଜ ଜିଲ୍ଲାସ୍ଥିତ ଉଦଳା ଏନ ଏ ସି ରେ ନାଗପାଳ ଏକ ବିସ୍ତିର୍ଣ୍ଣ ଆଦିବାସୀ ବହୁଳ ଜଳକ୍ଳିଷ୍ଟ ଅଞ୍ଚଳ ଅଟେ।ବହୁ ପୂରାତନ କାଳରୁ ତତ୍କାଳୀନ ସରକାର ଲୋକଙ୍କ ଜଳକଷ୍ଟ ଲାଘବ କରିବାକୁ ଯାଇ ଉଦଳା ଇୟୁନିଟ୍ ନମ୍ବର-୨,ଖାତା ନମ୍ଵର-୩୦୬,ପ୍ଳଟ ନମ୍ବର-୪୭୨ରେ ମୋଟ ଏ୨,୦୩ ଡେସିମିଲି ଜାଗା ଦରଜ କରାଇ ଏ୦,୮୫ ଡେସିମିଲି ଜଳ ଅଞ୍ଚଳ ବିଶିଷ୍ଟ ନାଗପାଳ ସରକାରୀ ପୋଖରୀ ଖୋଳାଇ ଦେଇଥିଲେ। ଅଞ୍ଚଳର ମଣିଷ, ଗୃହ ପାଳିତ ତଥା ବୁଲା ପଶୁ ପକ୍ଷୀ ମାନେ ଅଞ୍ଚଳର ଏହି ଏକମାତ୍ର ପୋଖରୀକୁ ସର୍ବକାଳୀନ ବ୍ୟବହାର ତଥା ତୃଷା ନିବାରଣ ର
ଏକମାତ୍ର ଜଳ ଉତ୍ସ ଭାବରେ ବ୍ୟବହାର କରି ଆସୁଥିଲେ।୨୦୧୨-୧୩ ଠାରୁ ଉଦଳା ଏନ୍ ଏ ସି କର୍ତ୍ତୃପକ୍ଷ ଏହି ପୋଖରୀର ଦାୟିତ୍ୱ ହାତକୁ ନେଲେ। ମାତ୍ର୍ ଉକ୍ତ କର୍ତ୍ତୃପକ୍ଷ ପୋଖରୀ ନିଲାମ୍ କରି ଅର୍ଥ ସଂଗ୍ରହ କରିବା ବ୍ୟତୀତ ଏହାର ଉନ୍ନତି ଦୀଗପ୍ରତି ଧ୍ୟାନ ଦେଲେ ନାହିଁ। କ୍ରମଶଃ ପୋଖରୀ ଟି ପୋତି ଜଳ ଅଞ୍ଚଳ ସଙ୍କୁଚିତ ହୋଇ ଏହାର ଜଳଧାରଣ କ୍ଷମତା ହରାଇଲା। ସାଧାରଣ ଲୋକେ ବାରମ୍ବାର ଆବେଦନ ନିବେଦନ ଓ ପୃଷ୍ଠା ମଣ୍ଡନ ସତ୍ତ୍ୱେ ୨୦୨୫ରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ପୋଖରୀଟିର ପଙ୍କୋଦ୍ଧାର ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ଆସିବାରୁ ଏନ୍ ଏ ସି କର୍ତ୍ତୃପକ୍ଷ ୧୫/୧୧/୨୦୨୫ ରେ କାର୍ଯ୍ଯାଦେଶ ପ୍ରଦାନ କରି କାର୍ଯ୍ୟାରମ୍ଭ କରିଥିଲେ।ମାତ୍ର ପରିତାପର ବିଷୟ ଯେ ପୋଖରୀ ମଝି ଅଂଶରେ ପୋତିହୋଇ ଯାଇଥିବା ପଙ୍କ ମାଟି ଖୋଳିବାହାର କରାଯିବା ସମୟରେ ପ୍ରାୟ ୪ଫୁଟ ଓସାର ବିଶିଷ୍ଟ ବିପଦ ସଙ୍କୁଳ ୪ଗୋଟି (steps) ମାଟି ଥାକ ବା ବକଚରା ସ୍ଥାନ ଛଡାଯାଇ ପଙ୍କୋଦ୍ଧାର କରାଯାଇଛି। ଯାହାର ପରିଣାମସ୍ୱରୂପ ବର୍ଷାଦିନରେ ଜଳପୂର୍ଣ୍ଣ ଅବସ୍ଥାରେ ଯେ କୌଣସି ବ୍ୟକ୍ତି ପୋଖରୀ ଜଳ ବ୍ୟବହାର କରିବାକୁ ଯାଇ ପାଦ ରଖିବାକୁ ଅପେକ୍ଷାକୃତ କମ୍ ସ୍ଥଳଭାଗକୁ ଜାଣି ନପାରି ଭୁଲରେ ହଠାତ୍ ଗଭୀର ଜଳକୁ ପଶି ଯାଇ ପ୍ରାଣ ହରାଇବାର ଆଶଙ୍କା ଅଧିକ ରହିଛି।ଏଣୁ ପୋଖରୀ ଜଳପୂର୍ଣ୍ଣ ହେବା ପୂର୍ବରୁ ଓ ସେପରି କୌଣସି ଅଘଟଣ ଘଟିଵା ଆଗରୁ ଏହାର ନିରାପତ୍ତା ବିଷୟରେ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ସାଧାରଣରେ ଦାବୀ ହେଉଛି।
ଏତଦ୍ ବ୍ୟତୀତ ଉକ୍ତ ପୋଖରୀର ପୁନରୁଦ୍ଧାର ପଙ୍କ ମାଟି ସମୁହକୁ ପୋଖରୀ ନିରାପତ୍ତା ପାଇଁ ଥିବା ଗାର୍ଡ ୱାଲ୍ ବାହାରେ ନପକାଇ ଗାର୍ଡ ୱାଲ୍ ଭିତରେ ସରକାରୀ ନକ୍ସାରେ ଥିବା ଏ୦,୮୫ ଡେସିମିଲି ପୋଖରୀର ଜଳ ଅଞ୍ଚଳରେ ପକାଇ ଏହାର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପଟେ ଥିବା ସରକାରୀ ଅନୁଦାନରେ ନିର୍ମିତ ଗାର୍ଡ ୱାଲ୍ କୁ ପୋତି ଦେବା ସହିତ ବିସ୍ତୃତ ଭାବେ ପୋଖରୀ ର ଜଳ ଅଞ୍ଚଳକୁ ସଙ୍କୁଚିତ କରିଦିଆଯାଇଛି ଫଳରେ
ପୋଖରୀର ଜଳଧାରଣ କ୍ଷମତା ହ୍ରାସ ପାଇବା ନେଇ ଲୋକଙ୍କ ମଧ୍ୟରେ ଚର୍ଚା ହେଉଥିବାବେଳେ କର୍ତ୍ତୃପକ୍ଷ ଙ୍କ ଏତାଦୃଶ ଅଣକୁଶଳୀ କାର୍ଯ୍ୟ ନିପୁଣତା ଏହି ଏନ୍ ଏ ସି ର
ପାରିବା ପଣିଆ କୁ ପଦାରେ ପକାଇଛି।ଏଣୁ
ଏହାର ଆଶୁ ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ସାଧାରଣରେ ଦାବୀ ହେଉଛି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)