
କଟକ, ତା ୧୮.୦୬.୨୦୨୬ – ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ପ୍ରସ୍ତୁତ ଅବୈଜ୍ଞାନିକ ପାଠ୍ୟକ୍ରମ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଶିକ୍ଷା ଧ୍ଵଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା ଦାବିରେ ଆଜି ଛାତ୍ର ସଂଗଠନ ଏଆଇଡିଏସଓ କଟକ ଜିଲ୍ଲା କମିଟି ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ବିକ୍ଷୋଭରେ ଏଆଇଡିଏସଓ ରାଜ୍ୟ ପରିଷଦର ଉପସଭାପତି ଭଗ୍ୟରବି ଦାସ, ସମ୍ପାଦକ ସିଦ୍ଧାର୍ଥ ରଥ, ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ବିନୋଦ ସେଠୀ, ସଂଗଠନ କଟକ ଜିଲ୍ଲା କମିଟି ଉପ-ସଭାପତି ଶିବାନୀ ସାହୁ, ସମ୍ପାଦକ ତରୁଣସେନ ନାୟକ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଜ୍ୟୋସ୍ନା ରାଣୀ ଦାସ, ଭାଗ୍ୟଶ୍ରୀ ପ୍ରଧାନ,ସରୋଜ ମାନସିଂହ ଜିଲ୍ଲା କମିଟି ସଭ୍ୟ ସତ୍ୟବ୍ରତ ମୁଦୁଲି, କସକ ଜେନା, ରାଜେଶ ନାୟକ, ସରୋଜ ବେହେରା, ଦିନେଶ କୁମାର ପାତ୍ର ପ୍ରମୁଖ ଏହି ବିକ୍ଷୋଭ ରେ ଉପସ୍ଥିତ ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ଜାତୀୟ ଶିକ୍ଷାନୀତି – ୨୦୨୦ ଆଧାରରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ପାଠ୍ୟ ପୁସ୍ତକରେ ମୋଟ ୧୭୦୦ଟି ଭୁଲ ପରିଲକ୍ଷିତ ହୋଇଥିବା ବେଳେ ଟିକେ ନିରିଖି ଦେଖିଲେ ଆହୁରି ଅଧିକ ସଂଖ୍ୟକ ଭୁଲ ମଧ୍ୟ ବାହାରି ପାରେ ଏବଂ ଏହି ଯେଉଁ ୧୭୦୦ ଟି ଭୁଲ ବାହାରିଛି ସେଗୁଡ଼ିକ ମୁଖ୍ୟତଃ ତଥ୍ୟ ଭିତ୍ତିକ । ମାତ୍ର ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀକୁ ଭର୍ତ୍ତି କରାଯାଇ ପାଠ୍ୟକ୍ରମର ଏକ ମୌଳିକ ଭିତ୍ତିଗତ ପରିବର୍ତ୍ତନ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ତଥ୍ୟଗତ ଭାବେ ଭୁଲ ଶିକ୍ଷା ପାଇବେ ନାହିଁ ଆହୁରି ମଧ୍ୟ ବିକୃତ ଶିକ୍ଷା ପାଇବେ, ଯଦ୍ୱାରାକି ସେମାନଙ୍କର ଚିନ୍ତା କରିବାର କ୍ଷମତା ମଧ୍ୟ ଭୟଙ୍କର ଭାବେ ବାଧାପ୍ରାପ୍ତ ହେବ । ଫଳରେ ଏହି ଭୁଲ ଶିକ୍ଷା ଗ୍ରହଣ କରି ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେ ଅନ୍ଧକାରମୟ ହେବ କେବଳ ସେତିକି ନୁହେଁ ଆହୁରି ମଧ୍ଯ ସେମାନେ ଅନ୍ଧତା, କୂପମଣ୍ଡୁକତାର ଶୀକାର ହେବେ । ଅସଲରେ ଏହି ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁକରି ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱଂସ କରିବା, ବିଜ୍ଞାନସମ୍ମତ ଶିକ୍ଷା ଠାରୁ ଭବିଷ୍ୟତ ପିଢ଼ିକୁ ଦୂରେଇ ରଖିବା ତଥା ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣ ପାଇଁ ଏକ ସୁଦୂର ପ୍ରସାରୀ ଷଡ଼ଯନ୍ତ୍ର
ଏଣୁ ତୁରନ୍ତ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ଦାବିରେ ସାରା ରାଜ୍ୟରେ ବ୍ୟାପକ ଗଣ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ଅଭିଭାବକ ତଥା ଶିକ୍ଷାପ୍ରେମୀ ଜନସାଧାରଣ ଆଗେଇ ଆସିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।