୫୬ ନଂ ୱାର୍ଡ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଟକ: ତା:- ୧୮/୦୬/- କଟକ ମହାନଗର ନିଗମ ୫୬ ନଂ ୱାର୍ଡ କଂଗ୍ରେସ ପକ୍ଷରୁ ସଭାପତି ସାଗର ବେଉରା ଙ୍କ ନେତୃତ୍ୱରେ କଂଗ୍ରେସ ର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦେଇଛନ୍ତି ।୫୬ ନଂ ୱାର୍ଡ କୁଆଖାଇ ନଦୀବନ୍ଧ କଡ଼ରେ ଥିବା କାଜିପାଟଣା(ସୁଭଦ୍ରାପୁର) ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମସୁଧା କରାଯାଉଥିବା ଅଭିଯୋଗ ହୋଇଛି ।ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନୀୟ ଅଞ୍ଚଳ ସହ ଆଖପାଖ ତ୍ରିଶୁଳିଆ, ବେଲଗଛିଆ, ଗୋଠପୁର, ଜଇପୁର ଆଦି ଅଞ୍ଚଳରୁ ବହୁ ରୋଗୀ ଚିକିତ୍ସିତ ହେବାପାଇଁ ଆସିଥାନ୍ତି ।ଆବଶ୍ୟକତା ଦୃଷ୍ଟିରୁ ଦୁଇଏକର ପରିମିତ ଜମିରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟି ପ୍ରତିଷ୍ଠା କରାଯାଇଥିଲା ।ଏହାର ସମ୍ପ୍ରସାରଣ ପାଇଁ ସଦ୍ୟ ଚାରିକୋଟି ଟଙ୍କା ସରକାର ମଞ୍ଜୁର କରିଛନ୍ତି ।ସମ୍ପ୍ରତି ଗତ ଦୁଇ ତିନି ବର୍ଷ ମଧ୍ୟରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଘେରି ପାଞ୍ଚଗୋଟି ରେଡିମିକ୍ସ ଆମ୍ପାନି ତିଆରି ହେବା ପରେ ବର୍ତ୍ତମାନ ରୋଗୀସେବା ବାଧାପ୍ରାପ୍ତ ହେଉଛି । ଜନବସତି କୁ ଲାଗି ଏହି ରେଡ଼ିମିକ୍ସ କମ୍ପାନୀ କରିବାପାଇଁ କିଏ ଅନୁମତି ଦେଲା ଓ କେଉଁମାନେ ଏଠାରୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହୀନ ଚକ୍ରାନ୍ତ ଚଳାଇଛନ୍ତି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।ଏହି ଦୁଇ ଏକର ପରିମିତ ଜାଗାକୁ କିଛି ଜମି ମାଫିଆ,ରାଜନୈତିକ ବ୍ୟକ୍ତି,ତଥା କିଛି ପ୍ରଭାବଶାଳୀ ମୁଷ୍ଟିମେୟ ବ୍ୟକ୍ତି ତାଙ୍କ ଦଖଲକୁ ନେବାକୁ ହୀନ ଉଦ୍ୟମ ଚଳାଇଛନ୍ତି ।ସ୍ୱାସ୍ଥ୍ୟକେନ୍ଦ୍ର ଟି ଅନ୍ୟତ୍ର ସ୍ଥାନାନ୍ତର ହେଲେ ସେଠାରେ ଜନଆନ୍ଦୋଳନ ଉଗ୍ରରୂପ ନେବାର ଆଶଙ୍କା ଥିବା କଂଗ୍ରେସ କହିଛି ।ଏଥିସହିତ ଉକ୍ତ ରାସ୍ତାରେ ଅହରହ ଭାରୀଯାନ(ହାଇୱା) ଚାଲି ରାସ୍ତାଟି ଏତେ ଖରାପ ହୋଇଯାଇଛି କି ଜରୁରୀ ସ୍ଥିତିରେ ଆମ୍ବୁଲାନ୍ସ ଟିଏ ମଧ୍ୟ ଆସିପାରିବ ନାହିଁ ।ଏଥିସହିତ ଗୋପାଳପୁର ଓଭର ବ୍ରିଜ୍ ଦେଇ ସୁଭଦ୍ରାପୁର-କାଜିପାଟଣା ରାସ୍ତାଟି ଏକ ସିଙ୍ଗଲ ରୋଡ ,ମାତ୍ର ଏହି ସଡ଼କ ଦେଇ ଦିନରାତି ଅହରହ ହାଇୱା ଗାଡ଼ି ଖିପ୍ରଗତି ରେ ଚାଲୁଥିବାରୁ ଏହା ଏକ ବିପଦ ତଥା ଦୁର୍ଘଟଣା ପ୍ରବଣ ରାସ୍ତାରେ ପରିଣତ ହୋଇଛି ।ଏପରିକି ଗତ କିଛିଦିନ ତଳେ ହାଇୱା ଗାଡ଼ି ଚଢ଼ି ଜଣେ ନାବାଳକ ର ମୃତ୍ୟୁ ହୋଇଥିଲା ।ଏହି ପ୍ରସଙ୍ଗରେ ବିଶେଷ କରି ରେଡିମିକ୍ସ କମ୍ପାନୀ ଚାପରେ ଜନ ହିତରେ ଲାଗୁଥିବା ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରା ନଯିବା, ରେଡିମିକ୍ସ କମ୍ପାନୀ କୁ ଅନ୍ୟତ୍ର ଉଠି ଯିବାକୁ ପ୍ରଶାସନ ବାଧ୍ୟ କରିବା,ଉକ୍ତ ନଦୀବନ୍ଧ ରାସ୍ତାକୁ ବର୍ଷାଦିନ ପୂର୍ବରୁ ତୁରନ୍ତ ମରାମତି କରିବା,ଏବଂ ଗୋପାଳପୁର-ସୁଭଦ୍ରାପୁର-କାଜିପାଟଣା ସିଙ୍ଗଲ ରୋଡ ରେ ଦିନବେଳା ଭାରୀଯାନ ଚଳାଚଳ ପ୍ରତି ପ୍ରତିବନ୍ଧକ ଲଗାଇବା ଆଦି ଦାବୀ କରିଥିଲେ କଂଗ୍ରେସ ପ୍ରତିନିଧି ଦଳ । ନଚେତ୍ ଆଗାମୀଦିନରେ ୫୬ ନଂ ୱାର୍ଡ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।ଏହି ପ୍ରତିନିଧି ମଣ୍ଡଳୀରେ କଟକ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ଗୋଚ୍ଛାୟତ,ଜିଲ୍ଲା କଂଗ୍ରେସ ପ୍ରାକ୍ତନ ଉପସଭାପତି ଶିଶିର ରଥ ଓ ରାଜେଶ୍ ସ୍ୱାଇଁ,କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା,କଟକ ନଗର ଯୁବ କଂଗ୍ରେସ ସଭାପତି ଡ଼ ବିପ୍ଳବ ଶିଳାଦିତ୍ୟ,ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ, ବରିଷ୍ଠ ନେତା ନିର୍ମଳ ସ୍ୱାଇଁ,ଶୁକଦେବ ସାମଲ, ଉମେଶ ମହାନ୍ତି,ସୁଧୀର ସାମଲ,ଶରତ ନାୟକ, ବଣ୍ଟି ନାୟକ,ରଜନୀ ବସ୍ତିଆ, ସାଜନ୍ ଖାନ୍,ସନାତନ ସାମଲ, ଶୟଦ ଫାରୁକ୍ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲାପାଳ ଙ୍କ ପ୍ରତିନିଧି ଭାବେ ଅତିରିକ୍ତ ଜିଲ୍ଲାପାଳ ଦାବିପତ୍ର ଟିକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *