ନୟାଗଡ : ନୟାଗଡ ପୁରୁଣା ସହରର ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ ଗତ ସରକାର ସମୟରେ ୨କୋଟି ୭୬ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ସମସ୍ତ ଟ୍ୟାକ୍ସ କଟିବା ପରେ ସେଥିମଧ୍ୟରୁ ୧କୋଟି ୬୯ଲକ୍ଷ ଟଙ୍କାର କାମ ହେବା କଥା । ମନ୍ଦିରର କ୍ରାଉନ୍ଷ୍ଟୋନ୍ କାମ , ଭଣ୍ଡାର ଗୃହ କାର୍ଯ୍ୟ , ଲ୍ୟାଣ୍ଡ ସ୍କେପିଙ୍ଗ୍ କାର୍ଯ୍ୟ , ସ୍ନାନମଣ୍ଡପ କାର୍ଯ୍ୟ , ଗୁଣ୍ଡିଚା ମନ୍ଦିରର ରୋଷ ଘର କାର୍ଯ୍ୟ ଆଦି କାମ ଅନ୍ତର୍ଭୁକ୍ତ ରହିଥିଲା । ଆରଟିଆଇରେ ସମସ୍ତ ତଥ୍ୟ ମାଗିବା ପରେ ଏହି ସବୁ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଛି । ସମୁଦାୟ ଅନୁଦାନ ମଧ୍ୟରୁ କାମକୁ ଦେଖିଲେ ୧କୋଟିରୁ ଅଧିକ ଟଙ୍କା ଆତ୍ମସାତ କରାଯାଇଥିବା ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି । ମନ୍ଦିରର ସୈାନ୍ଦର୍ଯ୍ୟକରଣ ପାଇଁ ୧୧ଲକ୍ଷରୁ ଅଧିକ ଟଙ୍କା ଆସିବାବେଳେ କୈାଣସି ପ୍ରକାରର କାର୍ଯ୍ୟ ହୋଇନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ସେହିପରି ଭଣ୍ଡାର ଗୃହ ନିର୍ମାଣ ପାଇଁ ୭ଲକ୍ଷରୁ ଅଧିକ ଟଙ୍କା ଆସିଥିବାବେଳେ ଆଦୈା ଘର ନିର୍ମାଣ କରାଯାଇନଥିବା ଜଣାପଡିଛି । ସମସ୍ତ କାର୍ଯ୍ୟରେ ହୋଇଥିବା ଅନିୟମିତତା ଏବଂ ଟଙ୍କା ଆତ୍ମସାତ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଆଜି ପୁରୁଣା ସହରର ବାସିନ୍ଦା ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରାଶାସନ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ଆନେ୍ଦାଳନ କରାଯିବ ବୋଲି ସ୍ଥାନୀୟବାସିନ୍ଦା କହିଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ