
ଆହାଃ କି ସୁନ୍ଦର ଏ ପୃଥିବୀ ଗାତ୍ର
ଜୀବଜନ୍ତୁ ଜଳ-ସ୍ଥଳ,
ସୃଷ୍ଟି ସୃଜନରେ କାହାଣୀ କଳ୍ପନା
ରଚେ ବିଜ୍ଞାନ ଭୂଗୋଳ ।
ସର୍ବ ଜୀବଜନ୍ତୁ ମଧ୍ଯରେ ମାନବ
ଜ୍ଞାନୀ-ଗୁଣୀ ଓ ଚତୁର,
ସୃଜିଅଛି ସତ୍ଯ- ଯୁଗ ଓ ତ୍ରେତୟା
ମହାଭାରତେ ଦ୍ବାପର ।
ଚତୁର୍ଥରେ କଳି- ଯୁଗର କାହାଣୀ
ସଭ୍ୟତାର ଇତିହାସ,
ଆଦିମ ଯୁଗ କି ରାଜା ରାଜୁଡ଼ାଙ୍କ
ଯଥା ଶାସନ ବିଶେଷ ।
ପ୍ରଥମ ତ୍ରିଯୁଗ ପୋଥି-ପୁରାଣରେ
କଳିଯୁଗ ଇତିହାସ,
ଅଢ଼େଇ ହଜାର ବର୍ଷ ବିବରଣୀ
ତଥ୍ଯ-ତତ୍ତ୍ଵରେ ବିନ୍ୟାସ ।
ଘଟଣା ପ୍ରବାହ ପ୍ରକୃତିର ଖେଳ
ଅବା କି ମନୁଷ୍ୟକୃତ,
ଅଭିଲେଖାଗାରେ ଆଇତା-ସାଇତା
ଲିଖିତ ପ୍ରମାଣ ପତ୍ର ।
ଜୀବଜନ୍ତୁ ଅବା ଶ୍ରେଷ୍ଠ ମଣିଷଙ୍କ
ମୂର୍ତ୍ତି ଅବା ଫଟୋଚିତ୍ର,
ସଂଗ୍ରହାଳୟରେ ଲିଖିତ ପ୍ରମାଣେ
ଗଚ୍ଛିତ ଓ ସୁସଜ୍ଜିତ ।
ମହାଫେଜଖାନା ସାଥେ ଗ୍ରନ୍ଥାଗାର
ଯାଦୁଘର ଯେ’ ତ୍ରିଭୁଜ,
ତ୍ରିକୋଣ ତ୍ରିବାହୁ ସ୍ପର୍ଶେ ବୃତ୍ତାୟନ
ଅଭିଲେଖାଗାର ନ୍ୟାଯ୍ୟ ।
ସକଳାକାରରେ ବୃହତ୍ତମ ଗୃହ
ନଥିପତ୍ରେ ବିରାଜିତ,
ରାଜ୍ୟ ଓ ରାଷ୍ଟ୍ରୀୟ ଅଭିଲେଖାଗାର
ରାଜଧାନୀରେ ଶୋଭିତ ।
ଅଭିଲେଖାଗାର ଐତିହ୍ଯ ପ୍ରମାଣ
ଗବେଷଣା ସୂତ୍ରଧର,
ଭୂଗୋଳ ବିଜ୍ଞାନ ସାହିତ୍ଯ ସମୂହ
ସମୁଜ୍ଜ୍ବଳ ମହତ୍ତର ।
ବିଶ୍ବ ଚରାଚରେ ଅଭିଲେଖାଗାର
ଇତିହାସ ଉପାଦାନ,
ଆଦି ମାନବର ଜୀବନ ସଂଘର୍ଷ
ଧାରାବାହିକ ରଚନ ।
ଆଦିମ ସଭ୍ଯତା ବିଶ୍ବଯୁଦ୍ଧ ଅବା
ଚନ୍ଦ୍ରପୃଷ୍ଠେ ପଦାର୍ପଣ,
ଟୀକା ଟିପ୍ପଣୀୟ ସନ୍ଦର୍ଭ ମହକ
ଅଭିଲେଖୀୟ ପ୍ରମାଣ ।
ସତ୍ଯାନୁସନ୍ଧାନେ ଅଭିଲେଖାଗାର
ଗବେଷଣାର ବାହକ,
ମନୋରଞ୍ଜନରେ ଉଲ୍ଲାସ ଉତ୍ସାହ
ଧନ୍ୟବାଦେ ସଂଗ୍ରାହକ ।
ଜୁନ ମାସ ନଅ ତାରିଖ ପ୍ରଣୀତ
ଅଭିଲେଖୀୟ ଦିବସ,
ଅଭିଲେଖାଗାର ହେଉ ଶୋଭାବନ୍ତ
ବୋଲେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର-୭୫୫୦୧୧