
କଟକ, ୫ ଜୁନ୍ : ବିଶ୍ୱ ପରିବେଶ ଦିବସ ଅବସରରେ ଆଜି କଟକ ମହାନଗର ନିଗମ (CMC) ପକ୍ଷରୁ ସହରବାସୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ବିଶାଳ ପଦଯାତ୍ରା ଏବଂ ସାଧାରଣ ସଭା ସଫଳତାର ସହ ଆୟୋଜିତ ହୋଇଯାଇଛି। ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ପ୍ରତିହତ କରିବା ପାଇଁ ସହରରେ ସବୁଜିମା ବୃଦ୍ଧି ଏବଂ ପ୍ରକୃତିର ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି। ଆଜି ସକାଳେ କଟକ ମହାନଗର ନିଗମର ୪ ନମ୍ବର ୱାର୍ଡ ସ୍ଥିତ ନିବେଦିତା ପ୍ରଧାନ ପାର୍କଠାରେ ଏହି ପରିବେଶ ସଚେତନତା ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏହି ପଦଯାତ୍ରାରେ CMCର ମେୟର , କମିଶନର ବରିଷ୍ଠ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ପରିବେଶ ପ୍ରେମୀ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ। ହାତରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ପ୍ଲାଷ୍ଟିକ ବର୍ଜନ ସମ୍ପର୍କିତ ପ୍ଲାକାର୍ଡ ଧରି ପଦଯାତ୍ରାକାରୀମାନେ ସହର ପରିକ୍ରମା କରିଥିଲେ। ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସ୍ଲୋଗାନ ଦେଇ ଏହି ବିଶାଳ ପଦଯାତ୍ରା ସେକ୍ଟର-୯ ସ୍ଥିତ ସେଣ୍ଟ୍ରାଲ ନର୍ସରୀରେ ପହଞ୍ଚିଥିଲା। ପଦଯାତ୍ରା ସେଣ୍ଟ୍ରାଲ ନର୍ସରୀରେ ପହଞ୍ଚିବା ପରେ ସେଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ସଫଳତାକୁ ପ୍ରଶଂସା କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ, “କଟକ ସହରକୁ ସବୁଜ ସୁନ୍ଦର କରିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ଏଥିପାଇଁ ପ୍ରତ୍ୟେକ ସହରବାସୀଙ୍କ ଭାଗିଦାରୀ ଆବଶ୍ୟକ। ପ୍ରତିଟି ପରିବାର ଅନ୍ତତଃ ପକ୍ଷେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ସୁରକ୍ଷା କଲେ ଆମେ ଆସନ୍ତା ପିଢ଼ିକୁ ଏକ ସୁସ୍ଥ ପରିବେଶ ଦେଇପାରିବା।”
ଏହି ସଭାରେ ସମ୍ମାନିତ ଅତିଥି ଭାବେ CMC କମିଶନର ଉପସ୍ଥିତ ରହି ପରିବେଶ ସନ୍ତୁଳନ ରକ୍ଷା ଦିଗରେ ନିଗମ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ସୂଚନା ଦେଇଥିଲେ। ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଏବଂ ସହରକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
ଏହି ବିଶେଷ ସଭାରେ କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରଣ ଦୀପ କୌର ସହୋତା,ଅଡିସନାଲ କମିଶନର ଶ୍ରୀମତୀ ସୋନା ଟୁଡୁ , ଡେପୁଟି କମିଶନର ଶ୍ରୀ ଜୁବୁଲି ଚରଣ ବେହେରା ,ଆସିଷ୍ଟାଣ୍ଟ କମିଶନର ଶୁଭଶ୍ରୀ ମଲ୍ଲିକ , ପଦ୍ମଲୋଚନ ମହାଲ୍ଲିକ, କିଶୋର ମହାନ୍ତି , କଟକ ସହରର କାର୍ଯ୍ୟରତ ଅନେକ ପ୍ରତିଷ୍ଠିତ ପରିବେଶ ସଂଗଠନର ପ୍ରତିନିଧି ଏବଂ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ। ସେମାନେ ବର୍ତ୍ତମାନର ଗ୍ଲୋବାଲ ୱାର୍ମିଂ (ବିଶ୍ୱ ତାପାୟନ) ଏବଂ ଜଳ ସଙ୍କଟ ଉପରେ ଚିନ୍ତାପ୍ରକଟ କରିବା ସହ ସ୍ଥାନୀୟ ସ୍ତରରେ ଜଙ୍ଗଲୀକରଣ ଓ ପୋଖରୀ ଗୁଡ଼ିକର ପୁନରୁଦ୍ଧାର ଉପରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିଥି ଓ ପରିବେଶ କର୍ମୀମାନଙ୍କ ଦ୍ୱାରା ନର୍ସରୀ ପରିସରରେ ବୃକ୍ଷରୋପଣ କରାଯାଇଥିଲା ଏବଂ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ସମସ୍ତ ପଦକ୍ଷପ ନେବାପାଇଁ ମେୟର ଅନୁରୋଧ କରିଥିଲେ ।