
ସମୟ ତ ଏଠି ସ୍ଥିର ପୃଥିବୀ ନିଶ୍ଚଳ,
ଅସଭ୍ୟତା କୂଳ ଲଙ୍ଘେ ସଭ୍ଯ ପ୍ରତିକୂଳ ।
ସୂର୍ଯ୍ୟ ଚନ୍ଦ୍ର ସାକ୍ଷୀ ନୁହେଁ ମାନବ କେବଳ,
ସତ ମିଛ କିଛି ନୁହେଁ ସବୁ ମାୟାଜାଲ ।।
ଦାନା-କନା ଲଭିବାକୁ ସରବେ ଆକୁଳ,
ଜୀବନ ଜୀବିକା ଡଙ୍ଗା ଖାଲି ଢଳଢଳ ।
ଔଷଧର ମାତ୍ରା ନାହିଁ ସବୁ ତ ନକଲ,
ସତ ମିଛ କିଛି ନୁହେଁ ସବୁ ମାୟାଜାଲ ।।
ଉଦ୍ୟାନର ଫୁଲ ସାଥେ ମାଳି କଲବଲ,
କରିବାକୁ ପ୍ରେମ ଟିକେ ଗୋଲାପ ବ୍ୟାକୁଳ ।
ମାତୃସ୍ତନେ ନାହିଁ କ୍ଷୀର ହାତରେ ବୋତଲ,
ସତ ମିଛ କିଛି ନୁହେଁ ସବୁ ମାୟାଜାଲ ।।
ଶ୍ମଶାନରେ ଲୁଚକାଳି ଶ୍ବାନ ଓ ଶୃଗାଳ,
ମୂଷା ଆଉ ବିରାଡ଼ିର କଉତୁକ ଖେଳ ।
ଫୁତ୍କାର କି ଚିତ୍କାରରେ ଗଡ଼ିଯାଏ ବେଳ,
ସତ ମିଛ କିଛି ନୁହେଁ ସବୁ ମାୟାଜାଲ ।।
ବିଷ କି ଅମୃତ ହେଉ କ୍ଷୁଧାର୍ତ୍ତର ବଳ,
ମହାବାହୁ ଛତା ତଳେ ଜୀବନ ବିକଳ ।
ଅନନ୍ତ ଗଗନ ତଳେ ନିଃସ୍ବ ମହାକାଳ,
ସତ ମିଛ କିଛି ନୁହେଁ ସବୁ ମାୟାଜାଲ ।।
ଲୁଣ୍ଠିତ ପର୍ବତ ମୁଖେ ଶୁଷ୍କ ନଦୀ ଜଳ,
ମରୂଦ୍ୟାନ ବୁକୁ ଚିରି ହୁଏ ଛଳଛଳ ।
ହୀନସ୍ତା ମନ୍ଦିରେ ଦେବ, ନେତା ବେକେ ମାଳ,
ସତ ମିଛ କିଛି ନୁହେଁ ସବୁ ମାୟାଜାଲ ।।
ଜୀବନଟା ଖାଲି ଏଠି ଜୀବନ କେବଳ,
ସ୍ଥାନ କାଳ ପାତ୍ର ନାହିଁ ମାତ୍ର ଶବ୍ଦ ଖେଳ ।
ପ୍ରେମ-ନନ୍ଦିଘୋଷ ଚାଲେ ହୋଇ ଟଳମଳ,
ସତ ମିଛ କିଛି ନୁହେଁ ସବୁ ମାୟାଜାଲ ।।
ଶମ୍ଭୁନାଥ ଦାସ
କୋଲକାତା