
ସର୍ବ ଜୀବଜନ୍ତୁ ମଧ୍ଯରେ ମାନବ
ସୃଜନେ ଶ୍ରେଷ୍ଠ ଗଣନ,
ଜୀବନ ଯାପନ ହେଲେ ହେଁ ସୌଖୀନ
ଦାରିଦ୍ର୍ୟରେ ଉତ୍ପୀଡ଼ନ ।
ପ୍ରତି ମାନବର ମୌଳିକ ଚାହିଦା
ଖାଦ୍ୟ ବସ୍ତ୍ର ବାସଗୃହ,
ଖାଦ୍ୟ ସଂକଟରେ ଜୀବ ଛଟପଟ
ବଞ୍ଚିବା ବଡ଼ ଅସହ୍ଯ !
ଧନୀ ଦରିଦ୍ରର ତାରତମ୍ୟ ଦୃଷ୍ଟେ
ଦାରିଦ୍ର୍ଯ ଦାରୁଣ ଦୁଃଖ,
କ୍ଷୁଧା ନିବାରଣେ ଦେଶ ବିଦେଶରେ
ଖାଦ୍ୟ ଯୋଜନା ପ୍ରଯୁକ୍ତ ।
କୃଷି କର୍ମଣଠୁ ସବୁଜ ବିପ୍ଳବ
ଚାଷୀ-ସଂଘଠୁ ସର୍କାର,
ଖାଦ୍ୟ ଉତ୍ପାଦନେ ରକ୍ଷଣାବେକ୍ଷଣେ
ଚିନ୍ତେ ଖାଦ୍ୟାଭାବ ଦୂର ।
ତଥାପି ମଣିଷ ମରେ ନିରନ୍ତର
କିମ୍ପା ନ ପାଇ ଆହାର ?
ବ୍ଯତିକ୍ରମ ନିଶ୍ଚେ ଯୋଜନା ସୁକାର୍ଯ୍ୟେ
ଲୋଭ ଦୁର୍ନୀତି ବିକାର !
ଶିକ୍ଷା ସଚେତନ ଜ୍ଞାନ ପ୍ରଶିକ୍ଷଣ
ସାଥେ ଦୁର୍ନୀତି ନାଶନ,
ଖାଦ୍ୟ ସୁରକ୍ଷା ଓ ସୁଷମ ବଣ୍ଟନ
ଭବେ କ୍ଷୁଧା ନିବାରଣ ।
ଆଜିର ଦିବସେ ଦୁଃଖ-ଶୋକ ସ୍ମରେ
ନ’ଅଙ୍କ ଦୁର୍ଭିକ୍ଷ ଚିତ୍ର,
ହଜାର ହଜାର ଉତ୍କଳ ସନ୍ତାନ
ଭୋକେ ମୃତ୍ୟୁର ଶିକାର ।
ଖାଦ୍ୟ ବସ୍ତ୍ର ବାସ ବିନାରେ କିମ୍ପାଇ
ଜନ୍ମଗତ ଅଧିକାର,
କାହାକୁ ଆହ୍ବାନ ଭ୍ରୂଣ ନା’ ଆତ୍ମାକୁ
କରନ୍ତି ଆମ୍ବେଦକର ?
ଆତ୍ମା ନ ଆସନ୍ତି ଭ୍ରୂଣହତ୍ୟା ହୋ’ନ୍ତି
ଆକୁଳେ ବ୍ଯାକୁଳେ ଜନ୍ମ,
ଦରିଦ୍ର କୁଟୀରେ ଭୋକେ ପ୍ରାଣ ନାଶେ
କି ଲାଭ ଜନ୍ମ ପ୍ରମାଣ ?
ହୀରା ନୀଳା ମୋତି ମାଣିକଠୁ ବଡ଼
ଆଲୋକ ପାଣି ପବନ,
ସର୍ବ ଜୀବଜନ୍ତୁ ମଧ୍ଯରେ ସମ୍ପଦ
ଶ୍ରେଷ୍ଠ ମାନବ ଜୀବନ ।
ଦୁର୍ନୀତି ହଟିଲେ ଦାରିଦ୍ର୍ଯ ହଟିବ
କ୍ଷୁଧା ନିବାରଣ ଭାଷ,
କ୍ଷୁଧା ଦିବସୀୟ ବାର୍ତ୍ତା ପ୍ରଖ୍ଯାପନେ
କବି ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର, ଓଡ଼ିଶା – ୭୫୫୦୧୧