
ସର୍ବ ପତ୍ର-ପୁଷ୍ପ ପଡ଼ଇ ଝାଉଁଳି
ରୌଦ୍ର ସହ୍ୟ ନ କରିଣ,
ତେଜୀୟାନ କିନ୍ତୁ ସୂର୍ଯ୍ୟମୁଖୀ ଫୁଲ
ଅଭିସାରିକା ହୋଇଣ ।
ଖାତିର ନ କରି ସେହି ରୌଦ୍ର-ତାପ
ମୋହେ ଜନ-ମନ ପ୍ରାଣ,
ମୃତ ପରେ ସିଏ ଆମ ପାଇଁ ଦିଏ
ତୈଳ ବ୍ୟଞ୍ଜନ କରଣ ।
ଦୁର୍ବଳ – ଅକର୍ମା ନରମ – ଭୀରୁତା
ମରୁଥା’ନ୍ତି ପ୍ରତିକ୍ଷଣ,
ପ୍ରତିଭା-ସମ୍ପନ୍ନ ସବଳ ବ୍ୟକ୍ତି’ଙ୍କ
ସେବା ସଦା ସମର୍ପଣ ।
ସେମନ୍ତ ବି ଆମେ ସଂକଟେ ବିପଦେ
ମନକୁ କରିବା ଟାଣ,
ଜ୍ଞାନ – ପ୍ରତିଭାରେ ସମାଜ କଲ୍ୟାଣ
କରିଯିବା ବିକିରଣ ।
ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରୀତି ଓ ଅହିଂସା
ହେଉ ଆମ ଆଚରଣ,
ଜୀବିତେ କି ମୃତେ ଆଦର ସମ୍ମାନ
ଆମ ପାଇଁ ଥୁଆ ଜାଣ ।
ପ୍ରଭୁ ଜଗନ୍ନାଥ ପୟରେ ପ୍ରଣାମ
ଆଶିଷ ହେଉ ବର୍ଷଣ,
ସୁକର୍ମ ବଳରେ ଏ ମହୀମଣ୍ଡଳେ
ସର୍ବେ ଭବନ୍ତୁ ସୁଖନଃ !