ନୟାଗଡ ଚିନିକଳ ସ୍ଥାପନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ନୟାଗଡ ( କ ବ୍ୟୁ ) : ନୟାଗଡରେ ଚିନିକଳ ସ୍ଥାପନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇସାରିଛି । ପୁରୁଣା ଚିନିକଳର ପୁନଃରୁଦ୍ଧାର ଏବଂ ନୂତନ ଚିନିକଳ ପ୍ରତିଷ୍ଠା ନୟାଗଡବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହୋଇ ରହିଛି । ନିର୍ବାଚନ ସମୟରେ ନେତାମାନେ ଚିନିକଳ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ ପ୍ରତିଶୃତି ଦେଇ ନିର୍ବାଚନ ଜିତିଛନ୍ତି । ଗତ ୨୦୨୪ ନିର୍ବାଚନ ସମୟରେ ଚିନିକଳ ପ୍ରତିଷ୍ଠା କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା । କିଛିମାସ ପୂର୍ବେ ମୂଖ୍ୟମନ୍ତ୍ରୀ ନୟାଗଡରେ ଏକ ସଭାରେ ଯୋଗଦେଇ ଚିନିକଳ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ କହିଥିଲେ । କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ସାହା ତାଙ୍କର ଓଡିଶା ଗସ୍ତ ସମୟରେ ନୟାଗଡରେ ଚିନିକଳ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ । ଆଜି ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ର ଢେଙ୍କାନାଳ ୟୁନିଟ୍ର ଅଧିକାରୀ , ମହାରାଷ୍ଟ୍ରରୁ ଆସିଥିବା କିଛି ବିଶେଷଜ୍ଞ , ରାଜ୍ୟ ସମବାୟ ବିଭାଗର ଅଧିକାରୀ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ବୈଠକ କରି ଆଲୋଚନା କରିଛନ୍ତି । ଏହାସହିତ ଚିନିକଳ ସ୍ଥାପନ ପାଇଁ ୭୦ ଏକର ଯାଗାର ଆବଶ୍ୟକତା ରହିଥିବାରୁ ଟିମ୍ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ଯାଗା ବୁଲି ଦେଖିଛନ୍ତି । ନୟାଗଡ ଚିନିକଳ ଉପରେ ବିଭିନ୍ନ ମାମଲା ରହିଥିବାବେଳେ ଏହା ଏବେ ସୁପ୍ରିମ୍କୋର୍ଟରେ ବିଚାରାଧିନ ଥିବାରୁ ଏହାର ପୁନଃରୁଦ୍ଧାର ପରିବର୍ତ୍ତେ ନୂତନ ଚିନିକଳ ପ୍ରତିଷ୍ଠା ଠିକ୍ ହେବ ବୋଲି ଟିମ୍ ଗତ ମାର୍ଚ୍ଚ ୨୦ତାରିଖରେ ଆସି ସର୍ଭେ କରିଥିବା ସମୟରେ ଅନୂଭବ କରିଥିଲା । ତେବେ କେଉଁ ସ୍ଥାନରେ ଚିନିକଳ ହେବ ତାହା ଉପରେ ଆଜି ପୁଣିଥରେ ସର୍ଭେ କରିଛି ଟିମ୍ । ବିଶେଷକରି ଆଜି ପୁରୁଣା ଚିନିକଳ ଥିବା ସ୍ଥାନ ପାଣିପୋଇଲା ନିକଟରେ ଥିବା ଅନ୍ୟ ଏକ ଯାଗାକୁ ଯାଇ ଟିମ୍ ସର୍ଭେ କରିଛି । ଏହାସହିତ ମହାରାଷ୍ଟ୍ରରୁ ଆସିଥିବା ବିଶେଷଜ୍ଞମାନେ କିଭଳି ଆଖୁଚାଷ କଲେ ଚାଷୀ ଅଧିକ ଲାଭବାନ ହୋଇପାରିବ ଏବଂ ଚିନିକଳରୁ ଅନ୍ୟ କେଉଁ ଜିନିଷ ଉତ୍ପାଦନ କରାଯାଇପାରିବ ସେନେଇ ଚାଷୀ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *