
ପିଲାମାନଙ୍କୁ ଘନମୂଳର ସୂତ୍ର
ଶିକ୍ଷା ଦେବା ପରେ
ମୁଁ ଇଛାକଲି ଦୁର୍ନୀତିର ଘନମୂଳ
ପ୍ରକାଶ କରିବାକୁ,
ସୂତ୍ର ପରେ ସୂତ୍ର ପ୍ରୟୋଗ କରି
ଦିସ୍ତା ଦିସ୍ତା କାଗଜ ଗାରେଇ
ସାରିବା ପରେ, ମଥା ଦରଜ;
ବୈଶାଖ ଝାଞ୍ଜିରେ
ଦେହରେ ବାହାରିଲା ହାଡ଼ଫୁଟି ।
ହାଡ଼ଫୁଟିକୁ ଦେହର ଘମିର ବୋଲି
ମଣିବାକୁ ବାଧ୍ଯ ହେଲି ତ
ଜନ ସମକ୍ଷରେ ତାହା ପ୍ରକାଶିଲି ।
ଆଡ଼େଇ ଦେଉଥାଏ କାଳ-ବୈଶାଖୀର
ଦୁର୍ଦ୍ଦାନ୍ତ ଧୂସରିତ ଧୂଳି ସମୂହକୁ,
ଖୋଜୁଥାଏ ମନେ ମନେ ତା’ ଭିତରର
ଆର୍ଦ୍ର ଜଳ ଟୋପାକୁ ।
କିନ୍ତୁ ୟା’ ମଧ୍ଯରେ କେଉଁମାନେ କେଜାଣି
ମୋତେ ବଖାଣିଲେ ବୈଶାଖର କୃଷ୍ଣଚୂଡ଼ା,
ଉଲ୍ଲାସରେ ପୋଖରୀହୁଡ଼ାକୁ ରଙ୍ଗଉ ରଙ୍ଗଉ
ପୁଣି କିଏ ଠେଲିଦେଲା ପୋଖରୀ ପାଣିକୁ
ପୋଖରୀ ପଙ୍କରେ ପାଦ ଦୁଇଟି ମୋର
ତଳକୁ ତଳକୁ ପୋତି ହୋଇଯାଇଥାଏ ତ
ଘନମୂଳର ସୁରାକ ମିଳିଯାଉଥାଏ ;
ମାତ୍ର ହତାଶାବୋଧରେ ସୂତ୍ର ବିସ୍ମରଣ
ଦେଖି ଦେଖି ସବୁବେଳେ ଘନମୂଳ ଶୂନ;
ବିଷାଦରେ ମୋ’ ହଲକ ଶୁଖି ଯାଉଥାଏ ତ
ତଥାପି କାହିଁକି କେଜାଣି
ଏ ଅମାନିଆ ଅଝଟିଆ ମନଟା ମୋର
ସ୍ବଗତୋକ୍ତି କରୁଥାଏ ଏବେ
ପାଲଟିଯିବାକୁ ପଦ୍ମଫୁଲ
ପୁଣି ସେହି ପଙ୍କ ପୋଖରୀର !!
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା