ସାମୁଦ୍ରିକ ପ୍ରାଣୀ ହେଲେ ହେଁ କଚ୍ଛପ
ନଦୀ-ନାଳେ ଆତଯାତ,
ଭୟରେ ମୁହଁକୁ ବକ୍ଷରେ ଲୁଚାଏ
ଦେଖି ବିପଦ ସଙ୍କେତ ।
ଧବଳ-ଗୋଲାପୀ ସମତଳ ପେଟ
କାଦୁଆ ପିଠି ଶକତ,
ଚାରି-ଗୋଡ଼େ ଚାଲେ ଗୁରୁଣ୍ଡି ଗୁରୁଣ୍ଡି
ଦେଖିଲେ ଲାଗେ ବିଚିତ୍ର ।
ଅର୍ଦ୍ଧ-ଗୋଲାକାର ଘୋଡ଼ଣୀ ପରାୟ
କଠିନ କଚ୍ଛପ ପୃଷ୍ଠ,
ଅନ୍ଯାନ୍ଯ ପ୍ରାଣୀଙ୍କ ଦାଉରୁ ସୁରକ୍ଷା
ସହ୍ଯ କରଇ ଆଘାତ ।
ସମୁଦ୍ର କୂଳର ବାଲୁକା ଶଯ୍ୟାରେ
ଖୋଳେ ବଡ଼ ବଡ଼ ଗାତ,
ସେ’ ଗାତେ ରହଣି ଅଣ୍ଡା ପ୍ରସବଇ
ଖାଦ୍ୟ ତା’ର ଗୁଳ୍ମ-କୀଟ ।
ମାଈ କଚ୍ଛପ ଯେ’ ତିନିରୁ ଚାରୋଟି
ଅଣ୍ଡା ଦିଏ ପ୍ରତିଦିନ,
ମାସାଧିକ କାଳ ଶହେରୁ ଅଧିକ
ଅଣ୍ଡା ବାଲି-ଗାତେ ସ୍ଥାନ ।
ପ୍ରାୟ ଦୁଇ ମାସ ମଧ୍ଯରେ ଅଣ୍ଡାରୁ
ବାହାରେ ଛୁଆ କଚ୍ଛପ,
କି ସୁନ୍ଦର ବାଲି – ବନ୍ଧରେ ଶାବକ
ଚାଲି ଦେଖାଏ ବହପ !
ଏକ କିଲୋଠାରୁ ଦଶ କୁଇଣ୍ଟାଲ
ଥାଏ କଚ୍ଛପ ଓଜନ,
ଅନିଷ୍ଟକାରକ ନୁହନ୍ତି ତଥାପି
ମାନବ କରେ ଭୋଜନ !
ଦଶ ଅବତାର ମଧ୍ଯରେ ଦ୍ବିତୀୟ
ଶ୍ରୀକୃଷ୍ଣ କୂର୍ମାବତାର,
ବେଦ ସାହିତ୍ୟରେ ଯଜୁର୍ବେଦ ଭଣେ
ନମୋନମଃ ନାରାୟଣ ।
କୂଅ ପୋଖରୀରେ କଚ୍ଛପ ପାଳନେ
ପୋକ-ଜୋକଙ୍କ ବିନାଶ,
ଦେବ-ଦେବୀଘରେ କଚ୍ଛପ-ପଦାର୍ଥ
ଶୋଭେ ସମ୍ପଦ ସରସ ।
ମେ’ ମାସ ତେଇଶ ଶୁଭ ପଞ୍ଜୀକୃତ
ବିଶ୍ବ କଚ୍ଛପ ଦିବସ,
ଜୈବ ସଂରକ୍ଷଣେ କଚ୍ଛପ ସର୍ବାଗ୍ରେ
ଭାଳେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ
କୋଲକାତା