




ବ୍ରହ୍ମପୁର, ( କ ବ୍ୟୁ )ତା. ୧୯/୦୫ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠ ଠାରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନଙ୍କ ଜନ୍ମଦିବସକୁ ‘କଳାକାର ସଂହତି ଦିବସ’ ରୂପେ ମହା ସମାରୋହରେ ପାଳନ କରାଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଗୋପାଳପୁର – ବକ୍ସିପଲ୍ଲୀ ସ୍ଥିତ ଶ୍ରୀ ନଟରାଜ ଡେନ୍ସ ଏକାଡେମୀର ଗୋଷ୍ଠୀ ନୃତ୍ୟ ସହିତ ଦୁଆନପଲ୍ଲୀ ସ୍ଥିତ ମା’ ମଙ୍ଗଳା ଓ କଳାପାଟ ନାଟ୍ୟ ସଂଘ ପ୍ରଯୋଜିତ ଲୋକ ନାଟକ ଲକ୍ଷ୍ମୀ ପୁରାଣ ପରିବେଷଣ କରାଯାଇଥିଲା। ନାଟକଟିରେ ଗୁରୁ ବନଜ କୁମାର ସାହୁ, ଗୁରୁ ପ୍ରବାସୀ ସାହୁ, ଗୁରୁ ପୂର୍ଣ୍ଣ ଚନ୍ଦ୍ର ସାହୁ, କାମା ସାହୁ, ଗଣେଶ ସାହୁ, ଆଶା ସାହୁ ପ୍ରମୁଖ ଅଂଶ ଗ୍ରହଣ କୋରିଥିଲେ। କଳାପ୍ରାଣ କୈଳାସ ପାଣିଗ୍ରାହୀ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ବରିଷ୍ଠ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ‘ପ୍ରଜ୍ଞା ଅଧିବେଶନରେ ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ଅଧ୍ୟକ୍ଷତା କରିଥିଲେ। ମଞ୍ଚମୋହନ ରାଜେନ୍ଦ୍ର ପତି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ କଳା ଓ କଳାକାରଙ୍କ ହିତ ଉଦ୍ଦେଶ୍ୟରେ ମହାସଂଘର ନିଷ୍ଠାପର ଅଙ୍ଗିକାରବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ। ମୂଖ୍ୟ ଅତିଥି ଲୋକ ନାଟକ ଗବେଷକ ଡଃ. ବାୟାମନୁ ଚର୍ଚ୍ଚି, ମୁଖ୍ୟବକ୍ତା ନାଟ୍ୟକାର ଅଭୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଖଲିକୋଟ ବ୍ଲକ କଳାକାର ସଂଘ ଉପସଭାପତି ଦିଗାମ୍ବର ମହାରଣା, ଆଦିବାସୀ ଲୋକନୃତ୍ୟବିତ୍ ସନାତନ ଗୌଡ଼, ଅବସରପ୍ରାପ୍ତ ବେତାର କାର୍ଯ୍ୟକ୍ରମ ନିଷ୍ପାଦକ ଜଗଦୀଶ ଅଧିକାରୀ, ବରିଷ୍ଠ ଆଇନଜୀବୀ ଦୟାନିଧି ପାଣିଗ୍ରାହୀ ପ୍ରମୁଖ ମହାସଂଘ କାର୍ଯ୍ୟାଧାରା ଏବଂ ମହାସଚିବ ରୋଶନଙ୍କ ମହାର୍ହ ଭୂମିକା ସମ୍ପର୍କରେ ସିଂହାବଲୋକନ କରିଥିଲେ। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର ଭିଡିଓ ବାର୍ତ୍ତାରେ କାର୍ଯ୍ୟକ୍ରମର ଶୁଭ କାମନା ଜଣେଇଥିଲେ। ନାଟ୍ୟକାର ଜଗଦୀଶ ଅଧିକାରୀଙ୍କ ନାଟକ ସଂକଳନ ‘ଜୀବନ ଏକ ନାଟକ’ର ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ମହାସଂଘ ମହାସଚିବଙ୍କୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ୬୪ତମ ଜନ୍ମଦିନ ବଧେଇ ଜ୍ଞାପନ କରାଯାଇଥିଲା।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଗତ ସର୍ବଶ୍ରୀ ଦିଗାମ୍ବର ମହାରଣା, ଶରତ କୁମାର ସାହୁ, ଜଗଦୀଶ ଅଧିକାରୀ, ଶେଖର ସୁମନ ମାଝୀ, ଅଶୋକ କୁମାର ସ୍ୱାଇଁ, କୃତ୍ତିବାସ ଡାକୁଆ, ଲୋଚନ ସାହୁ, ତ୍ରିପତି ମାଳି, ପୀତବାସ ଲକ୍ଷ୍ମୀପୁରିଆ, ଆର. ସତ୍ୟନାରାୟଣ, ରବୀନ୍ଦ୍ର କୁମାର ବେହେରା, ନାଭିଦିତ୍ୟ ଦିଗାଲ, ଗଗନ କୁମାର ଦାଶ ପ୍ରମୁଖ କିଛି ପ୍ରତିଭାଧରଙ୍କୁ ମହାସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ମହେନ୍ଦ୍ର କୁମାର ସାହୁ, କୃଷ୍ଣ ପ୍ରସାଦ ସାବତ, ଦୀନବନ୍ଧୁ ପାତ୍ର, ପ୍ରଦୀପ କୁମାର ସାହୁ, ବି. ପ୍ରସାଦ ରାଓ, ବାଲାଜୀ ସାମନ୍ତରା, ତ୍ରିନାଥ ପଣ୍ଡା, ସରୋଜ କୁମାର ପଣ୍ଡା, ଈଶ୍ବର ଗୌଡ଼, ସନାତନ ରଣା, ମାନସ ଦାସ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।