ଅନ୍ତର୍ଜାତୀୟ ନୃତ୍ୟ ଦିବସ International Dance Day29th April ✍️ ୨୯ ଅପ୍ରେଲ

ଖାଦ୍ୟ ବସ୍ତ୍ର ବାସ ମୌଳିକ ଚାହିଦା
ବଞ୍ଚିବା ପାଇଁ ଜୀବନ,
କିନ୍ତୁ କର୍ମେ ସୁଖ ଶାନ୍ତି-ପ୍ରୀତି ବିନା
ଜୀବନର ମୂଲ୍ଯ ହୀନ ।

ସୁଖ-ଶାନ୍ତି ବିନା ହୀନିମାନ ସାଥେ
ଆୟୁଷ ହୁଅଇ କ୍ଷୀଣ,
ଉପଚାର କ୍ରମେ ପ୍ରତିଭା ସୃଜନେ
କଳା-ସାହିତ୍ଯ ଆସୀନ ।

ଲିଖନ ଗାୟନ ନର୍ତ୍ତନ ଆଦି ଯେ’
କଳାରେ ମହିମାନ୍ଵିତ,
ସୁସ୍ଥ ନିରାମୟ ଜୀବନ ସୁନ୍ଦର
ସମାଜେ ପୂଜ୍ଯ ପୂଜିତ ।

ନର୍ତ୍ତନ ବିଦ୍ୟାରେ ପାରଙ୍ଗମ ଜନେ
ବାଣ୍ଟନ୍ତି ପ୍ରୀତି ଆନନ୍ଦ,
ନିଜ ଶାରୀରିକ ବ୍ୟାୟମ ସନ୍ତୋଷ
ଆତ୍ମତୃପ୍ତି ମକରନ୍ଦ ।

ହାସ୍ଯ ଓ ଗାୟନ ମାନସିକ ଶକ୍ତି
ଅଭିନୟ ଶାରୀରିକ,
ନୃତ୍ୟାୟନ କିନ୍ତୁ ସକଳ ସାଫଲ୍ଯ
ତୃପ୍ତିର ପରିଚାରକ ।

ବିଭିନ୍ନ ଉତ୍ସବ ସାଫଲ୍ଯ ଅର୍ଜନ
ସଂଗୀତ ନୃତ୍ୟାଭିନୟ,
ନୃତ୍ଯଶିଳ୍ପୀ ସାଥେ ନୃତ୍ଯ-ସଂସ୍ଥା ସର୍ବେ
ଅର୍ଥ ଉପାର୍ଜନେ ଜୟ ।

ବିଭିନ୍ନ ରାଜ୍ୟ ଓ ଦେଶ ବିଦେଶରେ
ଭିନ୍ନ ଭିନ୍ନ ନୃତ୍ୟାୟନ,
ସ୍ବକୀୟ ସଂସ୍କୃତି ଭୌଗୋଳିକ ସ୍ଥିତି
ପ୍ରାନ୍ତୀୟ ନୃତ୍ଯ ସୃଜନ ।

ଛଉ ଦଣ୍ଡ ନୃତ୍ଯ ଓଡ଼ିଶୀ ସହିତ
ସମ୍ବଲପୁରୀ ନର୍ତ୍ତନ,
ଉତ୍କଳ ଅସ୍ମିତା ନିଦର୍ଶନେ ଆମ
ଲୋକନୃତ୍ଯ ସୁଶୋଭନ ।

ଭାରତନାଟ୍ୟମ ମଣିପୁରୀ ଆଦି
ଆଠଟି ଶାସ୍ତ୍ରୀୟ ନୃତ୍ୟ,
ତା’ ମଧ୍ଯେ ଓଡ଼ିଶୀ ଅଗ୍ରଗଣ୍ୟ ନୃତ୍ଯ
ଦେଶେ ବିଦେଶେ ବିଖ୍ୟାତ ।

ଆଦ୍ଯ ନୃତ୍ଯଶିଳ୍ପୀ ଫରାସୀର ଶ୍ରେଷ୍ଠ
ଜିନ ଜର୍ଜେସ ନୋଭେର ,
ସ୍ମରଣେ ଅପ୍ରେଲ ଅଣତ୍ରିଶେ ଜନ୍ମ
ନୃତ୍ଯ ଦିବସ ସ୍ବୀକାର ।

ଊଣେଇଶ ଶହ ବୟାଅଶି ସନୁ
ଦିବସ ଅୟମାରମ୍ଭ,
ବିଶ୍ବ ନାଟ୍ୟ-ସଂସ୍ଥା ଜାତିସଂଘ କୃତେ
ମନୋରଞ୍ଜନ ବିଭବ ।

ସତ୍ୟଯୁଗେ ଶିବ – ତାଣ୍ଡବରେ ଭୀତ
ଅପସରୀ ନୃତ୍ଯ ପ୍ରୀତ,
ଯୁଗ ପରେ ଯୁଗ ନୃତ୍ଯର ମାହାତ୍ମ୍ଯ
ଆଗଭରେ ଚଳଚ୍ଚିତ୍ର ।

ଯାତ୍ରା ଥିଏଟର ନୃତ୍ଯେ ଉଲ୍ଲସିତ
ବିଭୋର ଜନମାନସ,
ଦେବ-ଦେବୀ ପୀଠେ ପରମ୍ପରାଗତେ
ସ୍ବକୀୟ ନୃତ୍ଯ ବିନ୍ୟାସ ।

ଶୁଭ ଶୋଭାମୟ ପାଟୁଆ ନାଚରେ
ଜୟ ମା’ ମଙ୍ଗଳା ଯାତ,
ଭକ୍ତି ଭାବମୟ ଦେବଦାସୀ ନୃତ୍ଯେ
ଜୟ ପ୍ରଭୁ ଜଗନ୍ନାଥ ।

ସାଂପ୍ରତିକ ସ୍ଥିତି ଅବା ରାଜନୀତି
ନୃତ୍ଯ-ଗୀତେ ଜର୍ଜରିତ,
ପୂଜା ଓ ପାର୍ବଣ ସକଳ ଉତ୍ସବ
ନୃତ୍ୟାୟନେ ମୁଖରିତ ।

ସଂସ୍କୃତି ମନ୍ତ୍ରିତ୍ବ ପରିଚାଳନାରେ
ନୃତ୍ଯ-ସଂଗୀତ ବିକାଶ,
ଅନ୍ତର୍-ଜାତୀୟ ନୃତ୍ଯ ଦିବସରେ
ଭାଷେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ

Leave a Reply

Your email address will not be published. Required fields are marked *