ଉତ୍କଳ ଗୌରବ ଉତ୍କଳ ଜନକ
ଉତ୍କଳ ଜାତି ନମସ୍ଯ,
ଉତ୍କଳର ଜ୍ଯୋତି: ଉତ୍କଳର କୀର୍ତ୍ତି
ହେ ମଧୁସୂଦନ ଦାସ !
ଜନକ ଚୌଧୁରୀ ରଘୁନାଥ ଦାସ
ଜନନୀ ପାର୍ବତୀ ଦେବୀ,
ଅଠ୍ର ଶହ ଅଠ- ଚାଳିଶ ଅପ୍ରେଲ
ଅଠେଇଶ ଉଆଁ ରବି ।
ସତ୍ଯଭାମାପୁର ବହୁଗ୍ରାମେ ଜନ୍ମ
ଯେ’ କଟକ ଜିଲ୍ଲା ଶୁଭ,
ତୁଳସୀ ମହକ ଦୁଇ ପତ୍ରୁ ବାଲ୍ଯ
ନାମ ଗୋବିନ୍ଦ ବଲ୍ଲଭ !
ଶିକ୍ଷାକ୍ରମେ ମଧୁ – ସୂଦନ ଦାସ ଯେ’
ବିଦ୍ୟାଳୟେ ଶ୍ରେଷ୍ଠ ବୀର,
ଛାତ୍ର ଅବସ୍ଥାରୁ ଆଦର୍ଶ ସୁନାମ
ପ୍ରଥମ ସ୍ନାତକୋତ୍ତର ।
କର୍ମଭୂମି କଲି – କତା ଓକିଲାତି
ଭବ୍ୟ ମଧୁ ବାରିଷ୍ଟର,
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ
ଆନ୍ଦୋଳନେ ଉଚ୍ଚ ଶିରଃ ।
ଉତ୍କଳ ମର୍ଯ୍ୟାଦା ଭାଷାର ସୁରକ୍ଷା
ହୃଦେ ଦାମ୍ଭିକତା ପଣ,
ତବ ଆସ୍ଫାଳନେ ଆଶ୍ଚର୍ଯ୍ୟ ଚକିତ
ହେଲେ ଇଂରେଜ ଶାସନ ।
ବିହାର – ଓଡ଼ିଶା ବିଧାୟକ ତୁମେ
ବୀର ଶ୍ରେଷ୍ଠ ମନ୍ତ୍ରୀବର,
ଉତ୍କଳ ଗଠନ ଦେଶ ସ୍ବାଧୀନତା
କାର୍ଯ୍ୟ-ଦ୍ବୟେ ଆଗୁସାର ।
ରାଜା କୃଷ୍ଣଚନ୍ଦ୍ର ଗଜପତି ଆଦି
ଗୋପବନ୍ଧୁ ନୀଳକଣ୍ଠ,
ଯେ’ଝା ବାଟେ ଖ୍ଯାତି ସାଉଣ୍ଟିଲେ କିନ୍ତୁ
ତବାଲୋକେ ଆଲୋକିତ ।
ତବ ବାହୁବଳେ ଆନ୍ଦୋଳନ ତେଜେ
ଯେ’ ଉତ୍କଳ ସମ୍ମିଳନୀ,
ଊଣୈଶ ଛତିଶ ମସିହାରୁ ମାନ୍ଯ
ବନ୍ଦେ ଉତ୍କଳ ଜନନୀ ।
ମାତ୍ର ଦଶଗୋଟି କବିତାରେ ତବ
ଜାଗେ ଉତ୍କଳ ସନ୍ତାନ,
ଏବେ ଶତାଧିକ କବିତାରେ ଦେଖ
ମାତା-ପୁତ୍ର ହୀନିମାନ !
କଟକର ରୁପା – ତାରକସି କାର୍ଯ୍ୟ
ତବ ପ୍ରୋତ୍ସାହନେ ସକ୍ଷ,
ଉତ୍କଳ ଟ୍ଯାନେରୀ ଜୋତା-ଶିଳ୍ପ ତବ
କ୍ଷତିରେ ବି ମଥା-ଟେକ ।
ମହାତ୍ମାଗାନ୍ଧୀ ବି ଚକିତ ମୋହିତ
ତବ କାର୍ଯ୍ୟେ ନିର୍ବାହଣ,
ସ୍ବାଭିମାନ ରକ୍ଷା କର୍ମରେ ପ୍ରଭୁତା
କର୍ତ୍ତବ୍ଯରେ ପରାୟଣ ।
ସଂକଟରେ ପଡ଼ି ଖ୍ରୀଷ୍ଟଧର୍ମ ନେଇ
ପରିବାରୁ ହେଲ ତେଜ୍ଯ,
ବ୍ରିଟିଶ ଆକ୍ରୋଶୁ ଶ୍ରୀ ଜଗନ୍ନାଥଙ୍କୁ
ରକ୍ଷାକରି ହେଲ ପୂଜ୍ଯ ।
ପତ୍ନୀ ସୌଦାମିନୀ ବିୟୋଗରେ ତବ
ହୃଦୟ ଦୁଃଖ ମୁରୁଛ,
ଆଦର୍ଶ ଶିକ୍ଷକ ଭାବେ ଲେଖିଦେଲ
ମରି ନା’ ଆଗେ ଯାଇଛ ।
ଉଦାର ଦୟାର୍ଦ୍ର ହୃଦେ ଉଦ୍ଧାରଣ
ସହସ୍ର ଦରିଦ୍ର ଲୋକ,
ବିଚାର ବିଭାଗ ଖର୍ଚ୍ଚ ତୁଲେଇଛ
ଛାଡ଼ିଣ ପାରିଶ୍ରମିକ ।
ବିଭିନ୍ନ କୁଟୀର ଶିଳ୍ପ ପ୍ରଯୋଜକ
ନାରୀ ଅଧିକାର ସୃଜ୍ଯ,
ନିଃସ୍ବାର୍ଥପରର ଦୟାବନ୍ତ ଦେବ
ଋଣଭାରେ ଦହଗଞ୍ଜ ।
ଓଡ଼ିଆ ଜାତିର ପ୍ରାଣ ଓ ସ୍ପନ୍ଦନ
ସାହିତ୍ୟର ମୁଖବନ୍ଧ,
ଆଲୋ ସଖି ତୁହି ଆପଣା ମହତ
ଯେ’ ଆପେ ରଖି’ ନିବନ୍ଧ ।
ପାଠ ମୁଁ ପଢ଼ିବି ଘୋଡ଼ା ଚଢ଼ି ମଧୁ –
ବାବୁଙ୍କ ସଙ୍ଗେ ଲଢ଼ିବି,
ବିଭିନ୍ନ ଢଗରେ ତେଜସ୍କ୍ରିୟ ତତ୍ତ୍ବ
ସାରସ୍ବତ ଅନୁଧାବୀ ।
ଓଡ଼ିଆ ବଙ୍ଗଳା ହିନ୍ଦୀ ସଂସ୍କୃତ ଓ
ଇଂରେଜୀରେ ଧୂରନ୍ଧର,
ପ୍ରଥମ ଓଡ଼ିଆ ବିଲାତରେ ପ୍ରଭା
କୁଳବୃଦ୍ଧ ଏ ଜାତିର ।
ନବ ଉତ୍କଳର ନିର୍ମାତା ହେଲେ ବି
ନ ଦେଖିଲ ଶୁଭ ରାଜ୍ୟ,
ଚାରି ଫେବ୍ରୁୟାରୀ ଊଣୈଶ ଚୌତ୍ରିଶ
ମହାପ୍ରୟାଣ ଦୁର୍ଭାଗ୍ଯ ।
ମୁକୁଟ ବିହୀନ ଉତ୍କଳ ସମ୍ରାଟ
ଆଲୋକ ଯେ’ ନିର୍ବାପିତ,
ଯିବା ଆଗୁ କିନ୍ତୁ ଉତ୍କଳ ରାଜ୍ଯକୁ
କରିଗଲ ଯେ’ ସ୍ବତନ୍ତ୍ର ।
ସାହିତ୍ୟର ସଂଜ୍ଞା ଅଜ୍ଞାତ ଜନତା
ସ୍ବାଭିମାନ ତ ଦୁର୍ଦର୍ଶ,
ଲୋକ-ଦେଖାଣିଆ କୁମ୍ଭୀର କାନ୍ଦଣା
ଯେ’ ସ୍ବାଭିମାନ ଦିବସ !
ଏମନ୍ତ ବ୍ଯକ୍ତିତ୍ବ ପୂଜ୍ଯ ବନ୍ଦନୀୟ
ଓଡ଼ିଆ ହୃଦେ ବିରାଜ,
ତବ ଶୁଭ ନାମେ ବିଭିନ୍ନାନୁଷ୍ଠାନ
ମଧୁସୂଦନ କଲେଜ ।
ଶୁଭ ଜନ୍ମ-ଲଗ୍ନେ ଶ୍ରଦ୍ଧାଞ୍ଜଳି ପୁଷ୍ପେ
ମାଗୁଣି ଟିକେ ଆଶିଷ,
ତବ ଆଦର୍ଶରେ ଏ କଙ୍କଡ଼ା ଜାତି
ପରିତ୍ଯାଗ ସ୍ବାର୍ଥନ୍ବେଷ ।
ମଧୁ ବାରିଷ୍ଟର ଜୀବନୀ ଯେ’ ଅର୍ଦ୍ଧ –
ଶତାବ୍ଦୀର ଇତିହାସ,
ସମୁଦ୍ରରୁ ଶଙ୍ଖେ ବଖାଣିଲି ମୁହିଁ
କବି ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ