ଉତ୍କଳ ଜନନୀ

ବୀର ପ୍ରସବିନୀ ଉତ୍କଳ ଜନନୀ
ବୀର ଆମେ ତା’ ସନ୍ତାନ,
ମାତାର ମହିମା ଟେକି ହସାଇବା
ରଖିବା ତା’ ସନମାନ ।

ଉତ୍କଳର ଭାଷା- ସାହିତ୍ଯ-ସଂସ୍କୃତି
ଅଟେ ସର୍ବ ପୁରାତନ,
ଜ୍ଞାତ ହେଲେ ଜନ ହେବ ଜାଗରଣ
ଲଭିବ ସେ ମହାଜ୍ଞାନ ।

ଉତ୍କଳ ଭାସ୍କର୍ଯ୍ଯ କଳା କାରୁକୀର୍ତ୍ତି
ସାରା ବିଶ୍ବରେ ମହାନ,
ବିଶ୍ବ ଜନଗଣ କରି ଦରଶନ
ଚକିତ ହୁଅନ୍ତି ଜାଣ ।

ମନ୍ଦିର-ମାଳିନୀ ଏହି ପୁଣ୍ଯ ଭୂମି
କୋଣାର୍କ ଅଟେ ଶୋଭନ,
ଜଗତର କର୍ତ୍ତା ଦଇବ ବିଧାତା
ଏହି ରାଜ୍ୟରେ ଆସୀନ ।

ଉତ୍କଳ ମାଟିରେ ଜନମ ନେଇରେ
ଆମେ କେଡ଼େ ଭାଗ୍ୟବାନ,
ମାତା ମାତୃଭୂମି ସେବା କରି ଆମ୍ଭେ
ହେବାରେ ବୀର ସନ୍ତାନ ।

ହେବା କର୍ଣ୍ଣଧାର ଆମ ଏ ଦେଶର
ସୁନାମ କରି ଅର୍ଜନ,
ଦୁଃଖ ଶୋକ ତାପ କରିବା ବିନାଶ
ଆମ ଜାତି ହେବ ଧନ୍ୟ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *