


ବାରିପଦା ( କ ବ୍ୟୁ )ତା୧୪/୦୪/୨୦୨୬ :
ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ଚୈତ୍ର ପର୍ବ ୨୦୨୬ ଉଦଯାପିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ସଂଧ୍ୟାରେ ଗ୍ରାମୀଣ ଛଉ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ଦ୍ୱିତୀୟ ସଂନ୍ଧ୍ୟାରେ ସହରାଞ୍ଚଳ ଛଉ ନୃତ୍ୟ ପ୍ରତିଯୋଗିତାରେ ବାରିପଦା ଅଞ୍ଚଳର ଐତିହାସିକ ଦୁଇ ଦଳ ଉତ୍ତର ସାହି ଓ ଦକ୍ଷିଣ ସାହି ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ସେହିପରି ତୃତୀୟ ସଂନ୍ଧ୍ୟାରେ ମଧ୍ୟ ଉତ୍ତର ସାହି ଓ ଦକ୍ଷିଣ ସାହି ନିଜ ନିଜର ଛଉ ନୃତ୍ୟର ଉତ୍କର୍ଷତା ପ୍ରଦର୍ଶନ କରିଥିଲେ ।
ଅନୁଷ୍ଠିତ ଉକ୍ତ ଛଉ ନୃତ୍ୟ ପ୍ରତିଯୋଗିତାରେ ଗ୍ରାମୀଣ ଛଉ ନୃତ୍ୟ ପ୍ରତିଯୋଗିତାରେ ବଦଡା ଛଉ ନୃତ୍ୟ ପ୍ରତିଷ୍ଠାନ ରାଇରଙ୍ଗପୁର ପ୍ରଥମ ସ୍ଥାନ ଅଧିକାର କରିଛି । ବଡଜାମବଣୀ ଛଉ ନୃତ୍ୟ ପ୍ରତିଷ୍ଠାନ, ଦାନ୍ତିଆମୁହାଁ, ବାମନୀପାହାଡ଼ ଛଉ ନୃତ୍ୟ ପ୍ରତିଷ୍ଠାନ, ଅଁଳାଯୋଡି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିରେ ଶ୍ରେଷ୍ଠ ପୁରୁଷ କଳାକାର ଭାବରେ ଦେବ ଗୁଣିଆ (ବଦଡା ଛଉ ନୃତ୍ୟ ପ୍ରତିଷ୍ଠାନ, ରାଇରଙ୍ଗପୁର) ଓ ଶ୍ରେଷ୍ଠ ମହିଳା କଳାକାର ଭାବରେ ମନପ୍ରୀତ ମହାନ୍ତ (ବଦଡା ଛଉ ନୃତ୍ୟ ପ୍ରତିଷ୍ଠାନ, ରାଇରଙ୍ଗପୁର) ବିବେଚିତ ହୋଇଛନ୍ତି ।
ସେହିପରି ସହରାଞ୍ଚଳ ଛଉ ନୃତ୍ୟ ପ୍ରତିଯୋଗିତାରେ ଦକ୍ଷିଣ ସାହି ଛଉ ନୃତ୍ୟ ମନ୍ଦିର ପ୍ରଥମ ସ୍ଥାନ ଓ ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିରେ ଶ୍ରେଷ୍ଠ ପୁରୁଷ କଳାକାର ଭାବରେ ଚନ୍ଦ୍ର ଶେଖର ଦାସ (ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ) ଓ ଶ୍ରେଷ୍ଠ ମହିଳା କଳାକାର ଭାବରେ ଭାଗ୍ୟଶ୍ରୀ ରାଉତ୍ (ଦକ୍ଷିଣ ସାହି ଛଉ ନୃତ୍ୟ ମନ୍ଦିର) ବିବେଚିତ ହୋଇଛନ୍ତି ।
ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼.କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ସୁଶ୍ରୀ ସଞ୍ଜଳୀ ମୁର୍ମୁ, ରାଜସ୍ୱ ପାରିଷଦ ଶ୍ରୀ ସତ୍ୟବ୍ରତ ସାହୁ, ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ସଭାପତିତ୍ବ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଚୈତ୍ର ପର୍ବ ସ୍ମରଣିକା-୨୦୨୬ ଉନ୍ମୋଚିତ ହୋଇଥିଲା ।
ଆଜିର ସଭାରେ ମୁଖ୍ୟ ଅତିଥି ଡ଼ ମହାପାତ୍ର ଛଉ ନୃତ୍ୟ ବିଶ୍ୱ ଦରବାରରେ ମୟୂରଭଞ୍ଜକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହା ମୟୂରଭଞ୍ଜର ଅସ୍ମିତାର ପ୍ରତୀକ ଓ ଏହାକୁ ବିଶ୍ୱସ୍ତରରେ ପ୍ରଚାର ପାଇଁ ଯୁବପିଢ଼ିଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ସୁଶ୍ରୀ ମୁର୍ମୁ ଚୈତ୍ର ପର୍ବକୁ ମୟୂରଭଞ୍ଜର ଗର୍ବ ଓ ପରମ୍ପରାର ଜୀବନ୍ତ ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛଉ ନୃତ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ଦଳ ଓ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶୁଭାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ଚୈତ୍ର ପର୍ବରେ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା । ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ନୃତ୍ୟ ଉପଭୋଗ କରୁଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)