ରାଇରଙ୍ଗପୁର ( କ ବ୍ୟୁ ) ତା ୧୫-୦୪-୨୦୨୬ ରିଖ :
ସମ୍ପ୍ରତି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଦୃଷ୍ଟିରୁ ଆକସ୍ମିକ ଅଂଶୁଘାତରୁ ରକ୍ଷା ପାଇବା ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତତ ସହିତ ଜନସାଧାରଣଙ୍କୁ ମଧ୍ୟ ଏଥି ପ୍ରତି ସଜାଗ ରହିବା ଏବଂ ଏହାର ମୁକାବିଲା ନିମନ୍ତେ କେତେ ଗୁଡିଏ ସତର୍କତାମୂଳକ ପଦକ୍ଷେପ ଅନୁପାଳନ କରିବା ପାଇଁ ପରାମର୍ଶ ଦିଆଯାଉଛି।
ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ପ୍ରଶାସନ ତରଫରୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଜନସାଧାରଣଙ୍କୁ ସତର୍କତା ମୂଳକ ପଦକ୍ଷେପ ଅନୁପାଳନ ସ୍ୱରୂପ ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ଅତ୍ୟଧିକ ରୌଦ୍ରତାପ ରହୁଥିବା ହେତୁ ଏହି ଟାଣ ଖରା ସମୟରେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି। ଯଦି ଜରୁରୀ କାମ ପାଇଁ ଏହି ସମୟରେ ବାହାରକୁ ଯିବା ପାଇଁ ପଡେ, ତେବେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଇବା ସହିତ ଖରାରେ ଛତା,ଜୋତା /ଚପଲ,କଳା ଚଷମା,ଟୋପି ଆଦି ବ୍ୟବହାର ଓ ସାଙ୍ଗରେ ପିଇବା ପାଣି ନେବା,ଖରାରେ ବାହାରକୁ ଯିବା ସମୟରେ ଧଳା ବା ହାଲକା ରଙ୍ଗର ଢିଲା ପୋଷାକ ପରିଧାନ କରିବା ଏବଂ ଅଧିକ ବାଟ ଚାଲି ଚାଲି ଯିବାକୁ ଥିଲେ ମଝିରେ ମଝିରେ ଛାଇରେ ବିଶ୍ରାମ ନେଇ ନିଜର ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି । ଖରାରେ କଠିନ ପରିଶ୍ରମ ନକରିବା ପାଇଁ ମଧ୍ୟ୍ୟ ପରାମର୍ଶ ଦିଆଯାଉଛି। ସେହିପରି ତାପମାତ୍ରା ଅଧିକ ରହୁଥିବା ଅର୍ଥାତ ଦ୍ବିପହର (ପିକ ଆୱାର୍) ସମୟରେ ନିର୍ମାଣ କାର୍ଯ୍ୟରେ କିମ୍ବା କୌଣସି କଠିନ ପରିଶ୍ରମ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ ନକରିବାକୁ ଯତ୍ନବାନ ହେବାପାଇଁ ପରାମର୍ଶ ଦିଆଯାଉଛି । ଶିଶୁ, ବୟସ୍କ, ଅସୁସ୍ଥ ଓ ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଅଂଶୁଘାତ ଆଶଙ୍କା ରହୁଥିବା ହେତୁ ନିତ୍ୟାନ୍ତ ଆବଶ୍ୟକ ନଥିଲେ ସେମାନଙ୍କୁ ଖରାରେ ବାହାରକୁ ନବାହାରିବା ପାଇଁ ସୂଚୀତ କରାଯାଉଛି। ସେହିପରି ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମୟରେ ମାଦକ ଦ୍ରବ୍ୟ ସେବନରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦିଆଯାଉଛି। ଯାତ୍ରୀବାହି ବସ ଓ ଅନ୍ୟାନ୍ୟ ଯାତ୍ରୀବାହି ଯାନ ଗୁଡିକରେ ଯାତାୟାତ ସମୟରେ ଯଥେଷ୍ଟ ପରିମାଣର ପିଇବା ପାଣି ଉପଲବ୍ଧ କରାଇବା ପାଇଁ ବସ ଓ ଗାଡି ମାଲିକ ମାନଙ୍କୁ ପରାମର୍ଶ ଦିଆଯାଉଛି। ଶିକ୍ଷାନୁଷ୍ଠାନ ମାନଙ୍କରେ ଯଥେଷ୍ଟ ପରିମାଣର ପାନୀୟ ଜଳର ବ୍ୟବସ୍ଥା ଉପରେ ତୀକ୍ଷ୍ଣ ଧ୍ୟାନ ଦେବା ପାଇଁ ଅନୁଷ୍ଠାନ ମୁଖ୍ୟ ମାନଙ୍କୁ ପରାମର୍ଶ ଦିଆଯାଉଛି।
ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଅଂଶୁଘାତର ଲକ୍ଷଣ ଯଥା ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ, ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା (ଝୋଲା ମାରିବା) କିମ୍ବା ବାତ ମାରିବା ଇତ୍ୟାଦି ଲକ୍ଷଣ ଦେଖା ଯାଏ, ତେବେ ସେପରି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାନ୍ତୁ, ତାଙ୍କୁ ଓ ଆର ଏସ /ଚିନି ଲୁଣ ପାଣି ସର୍ବତ /ସାଧା ପାଣି ପିଆନ୍ତୁ। ଯଥା ସମ୍ଭବ ରୋଗୀର ପୋଷାକ ଖୋଲି ଦେଇ ମୁଣ୍ଡ ଧୋଇଦେବା ସହିତ ଓଦା କପଡାରେ ପୋଛନ୍ତୁ, କୁଲର କିମ୍ବା ଏ ସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଏସବୁ ସତ୍ୱେ ଯଦି ରୋଗୀର ଅବସ୍ଥାରେ ଉନ୍ନତି ପରିଲକ୍ଷିତ ନହୁଏ, ତେବେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଉଛି।
ଏତଦ ବ୍ୟତୀତ ଜୀବଜନ୍ତୁଙ୍କ ପ୍ରତି “ଜୀବେ ଦୟା” ଧର୍ମ ମନୋଭାବ ପୋଷଣ ପୂର୍ବକ ବୁଲା ପ୍ରାଣୀ ଓ ପଶୁ ପକ୍ଷୀଙ୍କ ତୃଷା ମେଣ୍ଟାଇବା ପାଇଁ ନିଜ ନିଜ ଘର ପାର୍ଶ୍ଵରେ ଓ ଘରର ଛାତ ଉପରେ ପାତ୍ରରେ ଜଳ ରଖିବା ପାଇଁ ନିବେଦନ କରାଯାଉଛି।
ସର୍ବୋପରି ସମସ୍ତଙ୍କ ସହଯୋଗରେ ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ପାଇପ ଯୋଗେ ହେଉ ଅବା ଅନ୍ୟାନ୍ୟ ବିକଳ୍ପ ବ୍ୟବସ୍ଥା ଦ୍ୱାରା ହେଉ ଯୋଗାଇ ଦିଆଯାଉଥିବା ପାନୀୟ ଜଳକୁ ଅନାବଶ୍ୟକ ଭାବେ ଅପଚୟ ନକରିବା ପାଇଁ ଜନସାଧାରଣଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ନିବେଦନ କରାଯାଉଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)