ସମ୍ବିଧାନ ପ୍ରଣେତା ଡଃ ବି.ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବାରିପଦା ( କ ବ୍ୟୁ )ତା୧୪/୦୪/୨୦୨୬ :
ଭାରତୀୟ ସମ୍ବିଧାନର ଜନକ, ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୫ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ବାରିପଦା ପୌରପାଳିକା ସହଯୋଗରେ ସମ୍ପନ୍ନ ହୋଇଛି । ଆଜି ସକାଳ ୮ ଘଟିକା ସମୟରେ ପୂର୍ଣ୍ଣଚନ୍ଦ୍ରପୁର ୱାର୍ଡ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼.କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହାପରେ ଉକ୍ତ ସ୍ଥାନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ଡ଼. ମହାପାତ୍ର ବାବା ସାହେବଙ୍କ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ସାଧାରଣ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା,ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ନିର୍ବାହୀ ଅଧିକାରୀ ବାରିପଦା ପୌରପାଳିକା ଶ୍ରୀ ଦେବୀପ୍ରସାଦ ରାଉତ, ୧୫ ନଂ ୱାର୍ଡ କାଉନସିଲର ନିରୁପମା ମହାନ୍ତି, ସମାଜସେବୀ ଭାଗବତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।

ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା ସୁଚାରୁରୂପେ ପରିଚାଳନା କରିଥିଲେ । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାବିତ୍, ସମାଜସେବୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ଜନସାଧାରଣ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *