“ଉପଖଣ୍ଡ ସ୍ତରୀୟ ଦୁଇ ଦିନିଆ ଛଉ ନୃତ୍ୟ ପ୍ରତିଯୋଗିତା ଉଦଯାପିତ”

ରାଇରଙ୍ଗପୁର(କ:ବ୍ଯୁ)ତା ୦୪-୦୪-୨୦୨୬ ରିଖ
ଉପଖଣ୍ଡ ପ୍ରଶାସନ ତତ୍ୱାବଧାନ ଏବଂ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ସହଯୋଗରେ ରାଇରଙ୍ଗପୁର ଠାରେ ଏପ୍ରିଲ ୨ ଏବଂ ୩ ତାରିଖ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା ଉପଖଣ୍ଡ ସ୍ତରୀୟ ଛଉନୃତ୍ୟ ପ୍ରତିଯୋଗିତା।
ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ୨ଦିନିଆ ପ୍ରତିଯୋଗୀତାର ପ୍ରଥମ ଦିନରେ ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକର ୬ଗୋଟି ଛଉ ନୃତ୍ୟ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଦ୍ଵିତୀୟ ଦିବସରେ ୧୧ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ।
ବିଚାରକ ଭାବେ ଛଉ ଗୁରୁ ସର୍ବ ଶ୍ରୀ ସୁନୀଲ କୁମାର ମହାନ୍ତ, ମହେଶ୍ୱର ମହାନ୍ତ, ଜାପାନୀ ମାଠିଆ ଓ ମିଲନ କୁମାର ମହାନ୍ତ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ଛଉ ନୃତ୍ୟ ଦଳର କଳାକାର ମାନଙ୍କଦ୍ୱାରା ପରିବେଶିତ ନୃତ୍ୟର ମୂଲ୍ୟାୟନ କରିଥିଲେ। ତଦନୁସାରେ ଉପଖଣ୍ଡ ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ୫ ଗୋଟି ଦଳ ଯଥା ପ୍ରଥମ ସ୍ଥାନରେ ବାଦଡ଼ା ଛଉ ନୃତ୍ୟ ପ୍ରତିଷ୍ଠାନ,ବାଦଡା,ଦ୍ଵିତୀୟ ସ୍ଥାନରେ ବାବା କାଲା ମହାଦେବ ଛଉ ନୃତ୍ୟ ପ୍ରତିଷ୍ଠାନ, ତିଖିଆ, ତୃତୀୟ ସ୍ଥାନରେ ବାମନି ପାହାଡ଼ ଛଉ ନୃତ୍ୟ ପ୍ରତିଷ୍ଠାନ, ଅଁଳାଯୋଡି, ଚତୁର୍ଥ ସ୍ଥାନରେ ଜ୍ୟୋତିକୁମ୍ଭ ଛଉ ନୃତ୍ୟ ପ୍ରତିଷ୍ଠାନ, ରାଇହରି ଏବଂ ନବଜ୍ୟୋତି ଛଉ ନୃତ୍ୟ ପ୍ରତିଷ୍ଠାନ, ସାନ ସିମଳା ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ଏହି ୫ ଗୋଟି ଦଳ ଚଳିତ ଏପ୍ରିଲ ମାସ ୧୧ ତାରିଖ ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଚୈତ୍ର ପର୍ବ ଉତ୍ସବରେ ଛଉ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେମାନଙ୍କର ନୃତ୍ୟ କଳା ପ୍ରଦର୍ଶନ କରିବେ।
ପ୍ରଶାସନ ଦ୍ୱାରା ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବା ବେଳେ ଉଦଯାପନୀ ଦିବସରେ ଡେପୁଟି କଲେକ୍ଟର ଶ୍ରୀ ମାନସ ରଞ୍ଜନ ବେହେରା ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *