


ରାଜଗାଙ୍ଗପୁର :- (କ.ବ୍ୟୁ)୨୮ ମାର୍ଚ୍ଚ ୨୦୨୬ ଶ୍ରୀରାମ ରାମ ଜନ୍ମୋତ୍ସବ ଏବଂ ରାମନବମୀ ମହୋତ୍ସବ ବାବା ତାଲାବ ପୋଖରୀ କୂଳରେ ଥିବା ହନୁମାନ ମନ୍ଦିର ରୁ ପୁଜା ଅର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମାରେ ବାହାରି ଥିଲା। ଏହି ରାମନବମୀ ମହୋତ୍ସବକୁ ଆଗାମୀ ବର୍ଷ ୨୦୨୭ ରେ ୧୦୦ ବର୍ଷ ପୂରିବ ବୋଲି କୁହାଯାଉଛି। ଓଡ଼ିଶା ପ୍ରସିଦ୍ଧ ରାମନବମୀ ମହୋତ୍ସବ ପାଇଁ ରାଜଗାଙ୍ଗପୁର ର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଏହି ଉତ୍ସବରେ ଆଖପାଖ ଅଞ୍ଚଳର ଲୋକେ ସମ୍ମିଳିତ ହେବା ସହିତ ବିଭିନ୍ନ ଅସ୍ତ୍ରଶସ୍ତ୍ର କଳା ପ୍ରଦର୍ଶନ କରି ଦେଖଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରୁଥିବାରୁ ଦିନକୁ ଦିନ ଶୋଭାଯାତ୍ରାରେ ଜନସମାଗମରେ ବୃଦ୍ଧି ପାଉଛି । ପରମ୍ପରା ଅନୁଯାୟୀ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ବୀର ବଜରଙ୍ଗୀ ହନୁମାନଙ୍କ ବିଗ୍ରହ କୁମାରକେଲା ଜମିଦାରଙ୍କ ଅଞ୍ଚଳରେ ତିଆରି ହେବା ପରେ ପ୍ରଥମ ଦିନ ବିଗ୍ରହ ଟି ଲାଖୁଆପଡ଼ା, ବଗିଚାପଡ଼ା, ଷ୍ଟେସନପଡ଼ା ଦେଇ ସହରର ମୂଖ୍ୟ ମାର୍ଗରୁ ବାବା ତାଲାବ ପୋଖରୀ କୂଳରେ ଅବସ୍ଥିତ ଶ୍ରୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥାଏ। ରାମନବମୀ ଦିନ ବାବା ତାଲାବ ପୋଖରୀ କୂଳରୁ ଅପରାହ୍ନରେ ବିଗ୍ରହ ପୂଜାର୍ଚ୍ଚନା ପରେ ପରେ ବଡ଼ ପଟୱ।ରାରେ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କଲାବେଳେ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଭକ୍ତମାନଙ୍କ ପାଇଁ ବାଟସାରା ଅନୁନ୍ୟ ୩୦ ରୁ ୪୦ ଜାଗାରେ ଭୋଗ ବଣ୍ଟନ ସାଙ୍ଗକୁ ଫଳ ମୂଳ, ଜଳଖିଆ, ସର୍ବତ, ଆଇସକ୍ରିମ, ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କେତେକ ବ୍ୟକ୍ତି ବିଶେଷ ଓ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଉଥିବା ବେଳେ ମୁସଲିମ ସମ୍ପ୍ରଦାୟର ପ୍ରତିନିଧି ମାନେ ମଧ୍ୟ ଶୋଭାଯାତ୍ରାରେ ସାମିଲ ଭକ୍ତ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରି ରାଜଗାଙ୍ଗପୁର ସହର ଏକ ଭାଇଚାରାର ସହର ବୋଲି ବାର୍ତ୍ତା ଦେଇଥାନ୍ତି। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଲିପଲୋଇ ଗ୍ରାମରେ ଥିବା ନଇ କୁଳରେ ପହଞ୍ଚିବା ପରେ ଶୋଭାଯାତ୍ରାର ସମାପନ ହୋଇ ଥାଏ। ଚଳିତବର୍ଷ ରାମନବମୀ ମହୋତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ କୁ ଦେଖି ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ଟି ସୁରୁଖୁରୁରେ ସମ୍ପନ୍ନ ହେଉ ବୋଲି ବ୍ୟାପକ ବନ୍ଦୋବସ୍ତ ସ୍ୱରୁପ ପଶ୍ଚିମାଞ୍ଚଳ ଡ଼ି ଆଇ ଜି, ଏସପି ଅମୃତପାଲ କୌର, ଚାରୋଟି ମାଜିଷ୍ଟ୍ରେଟ,ଏସଡ଼ିପିଓ ବିଭୁତିଭୂଷଣ ଭୋଇ, ଭାରପ୍ରାପ୍ତ ଥାନା ଅଧିକାରୀ ବିଜଯ କିଶୋର ଦାସ, କୁତ୍ରା ଥାନା ଅଧିକାରୀ, ଲାଞ୍ଜିବର୍ଣ୍ଣା ଫାଣ୍ଡି ଅଧିକାରୀ ପ୍ରୀତିରଞ୍ଜନ ପରିଡ଼ା, ୨୬ ପ୍ଲାଟୁନ ପୋଲିସ ଫୋର୍ସ,୨ ପ୍ଲାଟୁନ ବିଏସଏଫ, ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୨୦ ଜଣ ଇନ୍ସପେକ୍ଟର,୩୦ ସବ୍ ଇନ୍ସପେକ୍ଟର, ୩୦ ଅତିରିକ୍ତ ସବ୍ ଇନ୍ସପେକ୍ଟର, ଦୁଇଗୋଟି ଡ୍ରୋନ ଗୃହ ରକ୍ଷୀ ବାହିନୀ, ଅଗ୍ନିଶମ ବାହିନୀ , ଆମ୍ବୁଲାନ୍ସ ର ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏହି ରାମନବମୀ ଶୋଭାଯାତ୍ରା ରେ ଅନିଲ ବରୁଆ, ସୋଏବ ଆଲାମ, କମଲେଶ ଅଗ୍ରୱାଲ, ରାଜେନ ସୋନି, ଅମରେଶ ପଣ୍ଡା, ସୁଶ୍ରୀତା ପାଇକରାୟ, କୁଲଦୀପ ସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ ଏବଂ ଏହାର ଶାନ୍ତିପୂର୍ଣ୍ଣ ପରିଚାଳନା ମଧ୍ୟ କରିଥିଲେ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )