“ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ”

ବାରିପଦା(କ:ବ୍ଯୁ) ୨୫/୦୩/୨୦୨୬
ଆସନ୍ତା ପବିତ୍ର ରଥଯାତ୍ରା ସୁଚାରୁ ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ବାରିପଦାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ସୟ୍ ଚଳିତ ବର୍ଷ ରଥଯାତ୍ରା କୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଯୋଗାଡ କରିବାକୁ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ଏହି ସମୟରେ ସଭାରେ ରଥଯାତ୍ରା ସମୟରେ ଶୃଙ୍ଖଳାବଦ୍ଧ ବ୍ୟବସ୍ଥା ପାଇଁ ପୁଲିସ ବ୍ୟବସ୍ଥାକୁ ସୁଦୃଢ କରିବା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥାପନା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ତଥ୍ୟାଧାରିତ ଆଲୋଚନା କରାଯାଇଥିଲା।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆପାତକାଳୀନ ଚିକିତ୍ସା ସେବା, ଆମ୍ବୁଲାନ୍ସ ବ୍ୟବସ୍ଥା, ମେଡିକାଲ ଟିମ୍ ମୁତୟନ ଓ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ କହାଯାଇଥିଲା। ଜଳ ଯୋଗାଣ, ପାନୀୟ ଜଳର ଗୁଣବତ୍ତା ଓ ସାନିଟେସନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ବିଦ୍ୟୁତ ବିଭାଗକୁ ନିରବିଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ଆଲୋକୀକରଣ ବ୍ୟବସ୍ଥା ଓ ଆପତ୍କାଳୀନ ସ୍ଥିତି ପାଇଁ ବିକଳ୍ପ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପୌରସଂସ୍ଥା ପକ୍ଷରୁ ସଫେଇ, ଅଳିଆ ପରିଚାଳନା, ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ଓ ସାର୍ବଜନୀନ ସ୍ୱଚ୍ଛତା ଉପରେ ଜୋର ଦିଆଯାଇଥିଲା।
ଅଗ୍ନିଶମ ବିଭାଗକୁ ଆଗ୍ନିକାଣ୍ଡ ପ୍ରତିରୋଧ ଓ ଆପାତକାଳୀନ ସହାୟତା ପାଇଁ ପ୍ରସ୍ତୁତ ରହିବାକୁ କହାଯାଇଥିଲା। ଯାତ୍ରା ସମୟରେ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସେହିପରି, ରଥଯାତ୍ରା ସମ୍ପର୍କିତ ପାରମ୍ପରିକ ଆଚାର-ବିଚାର ସୁଚାରୁ ଭାବେ ପାଳନ ପାଇଁ ମନ୍ଦିର ପରିଚାଳନା କମିଟି ସହ ସମନ୍ୱୟ କରିବାକୁ ମଧ୍ୟ ଆଲୋଚନା ହୋଇଥିଲା।
ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବା, ତୃଣମୂଳ ସ୍ତରରେ ନିରୀକ୍ଷଣ ବଢ଼ାଇବା ଓ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବିଧାଜନକ ପରିବେଶ ସୁନିଶ୍ଚିତ କରିବାକୁ ଆହ୍ୱାନ କରିଥିଲେ।
ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ,ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡ଼ା, ଡେପୁଟି ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କିଷାନ୍, ବାରିପଦା ମ୍ୟୁନିସିପାଲଟି ଚ୍ୟାରମେନ୍ ଶ୍ରୀ ବାଦଲ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା କିଶୋର ଚନ୍ଦ୍ର ଆଚାର୍ଯ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀଗଣ , ସେବାୟତ, ରଥ କାରିଗର, ଓ ବିଭିନ୍ନ ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *