
ସୃଷ୍ଟିକର୍ତ୍ତା’ଙ୍କର ବିଚିତ୍ର ସୃଜନ
ଆମ୍ଭ ଏହି ଧରାବକ୍ଷ,
ଜଳେ ସ୍ଥଳେ ଅବା ବଣ-ଜଙ୍ଗଲରେ
ଜୀବଜନ୍ତୁ ଲକ୍ଷ ଲକ୍ଷ ।
ଗାଈ ଛେଳି ମେଣ୍ଢା ଗୃହପାଳିତ ଯେ’
ହାତୀ ଘୋଡ଼ା କବଳିତ,
ବାଘ ଭାଲୁ ସିଂହ ବନେ ହିଂସ୍ର ଜନ୍ତୁ
ମୃଗ-ମୃଗୁଣୀ କାକୁସ୍ଥ !
ମୟୂର ନୃତ୍ୟରେ ସର୍ପ ଥରହର
ଭଲ୍ଲୁକ ନୃତ୍ୟେ ଜଙ୍ଗଲ,
ଚିଡ଼ିଆଖାନାରେ ନୃତ୍ୟ ଦେଖିବାକୁ
ଜନଗଣ ପଲପଲ ।
କଳା ଧଳା ଆଉ ମାଟିଆ ଧୂସର
ବିଭିନ୍ନ ରଙ୍ଗେ ଭଲ୍ଲୁକ,
କଳା ମାରାତ୍ମକ ଧଳା ସୁଶୋଭିତ
ସକଳେ କିନ୍ତୁ ହିଂସ୍ରକ ।
ଗଛ-ଚଢ଼ା ଜନ୍ତୁ ଗଛେ ଓହଳାଇ
ମାଙ୍କଡ଼ କରେ ଶିକାର,
ସ୍ଥଳେ ମୃଗ-ମୃଗୀ ଗୋଢ଼େଇ ଧରଇ
ଚାଟିକି ଖାଏ ଆହାର ।
ଏମନ୍ତ କୌତୁକ ଜନ୍ତୁ ସୁରକ୍ଷାରେ
ଜଙ୍ଗଲ ପ୍ରାଣୀ ବିଭାଗ,
ମାର୍ଚ୍ଚ ତେଇଶରେ ସଚେତ ଦିବସ
ଅଙ୍ଗୀକୃତେ ଅନୁରାଗ ।
ଊଣେଇଶ ଶହ ବୟାନବେ’ଠାରୁ
ବିଶ୍ବ ଭଲ୍ଲୁକ ଦିବସ
ଉତ୍ସବ ନୁହଁଇ ନାଲିଫିତା ବନ୍ଧା
ବନ୍ଯ ବିଭାଗ ବିକାଶ ।
ବାଘ ଭାଲୁ ନର ମଧ୍ଯେ ବିଶ୍ବସିତ
ଜ୍ଞାନ-ଲବ୍ଧ ଗଳ୍ପ ସୂତ୍ର,
ନେତା ମନ୍ତ୍ରୀ ଯନ୍ତ୍ରୀ ତଥାପି ନିର୍ବୋଧ
ସସମିରା ରାଜପୁତ୍ର ।
ସରଳ ନିରୀହ ଭାଲୁ ଲାଙ୍ଗୁଡ଼କୁ
ଧରିଥା’ନ୍ତି ରାତି-ଦିନ,
ଛୁ’… ମାରିଥା’ନ୍ତି ବିଶ୍ବାସଘାତକୀ
ମିଳେନି ଆଉ ଦର୍ଶନ ।
ଜଙ୍ଗଲ ସମ୍ରାଟ ସିଂହ ନିଯୁକ୍ତିରେ
ବନେ ଭାଲୁ ମନ୍ତ୍ରୀବର,
ତୃଣଭୋଜୀ ପ୍ରାଣୀ ତୃଣ ଖାଇବାକୁ
ଭାଲୁକୁ ଦିଅନ୍ତି କର !
ଆସ ଭାରତୀୟ ମୋ’ ଭାଇ-ଭଉଣୀ
ଚିଡ଼ିଆଖାନାକୁ ଆସ,
ଭାଲୁ ନାଚ ଦେଖି ମନ ମୋହିବ ହୋ’
ଡାକେ ଶମ୍ଭୁନାଥ ଦାସ !
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା