


ରାଜଗାଙ୍ଗପୁର (କ ବ୍ୟୁ ) ୧୪ /୦୩/୨୬) : ରାଜଗାଙ୍ଗପୁର ପୌରପାଳିକା ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନକୁ ନେଇ ବିବାଦ ଓ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ପୌରପାଳିକା ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲେ ମଧ୍ୟ, କାର୍ଯ୍ୟକ୍ରମରେ ସହରର ଅନେକ ପ୍ରତିଷ୍ଠିତ ଓ ସମାଜସେବୀ ମହିଳାଙ୍କୁ ନିମନ୍ତ୍ରଣ ଦିଆଯାଇ ନଥିବା ଅଭିଯୋଗ ଉଠିଛି I ଯାହାକୁ ନେଇ ସହରର ବିଭିନ୍ନ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି । ପୌରପାଳିକା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେବଳ କେତେକ ନିର୍ଦ୍ଦିଷ୍ଟ ଓ ହାତଗଣତି ମହିଳାଙ୍କୁ ଡାକି ମହିଳା ଦିବସ ପାଳନ କରାଯାଇଥିବା ଅଭିଯୋଗ ହୋଇଛି । ସହରରେ ଶିକ୍ଷା, ସାମାଜିକ ସେବା, ସ୍ବାସ୍ଥ୍ୟ, ସାହିତ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅନେକ ପ୍ରତିଷ୍ଠିତ ମହିଳା ରହିଥିବା ସତ୍ତ୍ବେ ସେମାନଙ୍କୁ ଏହି କାର୍ଯ୍ୟକ୍ରମରୁ ଅଣଦେଖା କରାଯାଇଥିବା ନେଇ ପ୍ରଶ୍ନ ଉଠିଛି । ଜଣେ ପ୍ରତିଷ୍ଠିତ ମହିଳା ନିଜ ପରିଚୟ ଗୋପନ ରଖ୍ କହିଛନ୍ତି ଯେ, ସରକାରୀ ଭାବେ ପାଳନ ହେଉଥିବା ବିଶ୍ଵ ମହିଳା ଦିବସର ଉଦ୍ଦେଶ୍ୟ ହେଉଛି ସମାଜରେ ମହିଳାମାନଙ୍କ ଅବଦାନକୁ ସମ୍ମାନ ଦେବା ଓ ସେମାନଙ୍କୁ ଆଗକୁ ଆଣିବା । କିନ୍ତୁ ରାଜଗାଙ୍ଗପୁର ପୌରପାଳିକା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେହି ଉଦ୍ଦେଶ୍ୟ ପୂରଣ ହୋଇନଥିବା ଦେଖାଯାଉଛି । କେବଳ କେତେକ ମୁଷ୍ଟିମେୟ ମହିଳାଙ୍କୁ ନିମନ୍ତ୍ରଣ କରି କାର୍ଯ୍ୟକ୍ରମ ପାଳନ କରାଯାଇଥିବାରୁ ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠିଛି । ସହରର କେତେକ ସାମାଜିକ କର୍ମୀ ମଧ୍ୟ କହିଛନ୍ତି ଯେ, ଏପରି ଦିବସ ପାଳନ କରିବା ସମୟରେ ସମସ୍ତ ଶ୍ରେଣୀର ମହିଳାଙ୍କୁ ସାମିଲ କରିବା ଉଚିତ କିନ୍ତୁ ପୌରପାଳିକା ପକ୍ଷରୁ ପାରଦର୍ଶିତା ଦେଖାଯାଇନଥିବା ଅଭିଯୋଗ ହେଉଛି । ଫଳରେ ସହରର ବହୁ ପ୍ରତିଷ୍ଠିତ ମହିଳା ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )