
ସୌନ୍ଦର୍ଯ୍ୟ ସୃଷ୍ଟିର କୋଟି କୋଟି ଜନ
ମଧ୍ୟେ ବୁଦ୍ଧିମାନ ଜନ,
ସକଳ ଜୀବଙ୍କୁ ଆୟତ୍ତରେ ରଖି
ନିଜକୁ କରେ ସୌଖିନ ।
ଗୋଷ୍ଠୀ ଓ ସଭ୍ୟତା ଶୁଭ ସଂରଚନା
ସୁଖମୟରେ ସଂସାର,
ଶିକ୍ଷା ଦୀକ୍ଷା ସାଥେ ସମାଜ କଲ୍ୟାଣେ
ବୁଦ୍ଧି ବଳ ଆଗୁସାର ।
ଶାନ୍ତି ଓ ସମୃଦ୍ଧି ଉନ୍ନତି ପ୍ରଗତି
ସର୍ବଦା ତା’ର ଚିନ୍ତନ,
ଶିକ୍ଷା ଉନ୍ନତିରେ ଜ୍ଞାନ-ବିଜ୍ଞାନରେ
ଆବିଷ୍କାର ଉଦ୍ଭାବନ ।
ବିଜ୍ଞାନ ବଳରେ ସରସ ସୁନ୍ଦର
ହୋଇଛି ଜନ ଜୀବନ,
ଧନ୍ୟ ବୈଜ୍ଞାନିକ ଦ୍ଵିତୀୟ ଈଶ୍ୱର
କରୁଅଛୁ ଜୟ ଗାନ ।
ହୃଦୟରେ ଭରା ପ୍ରୀତି ଓ ଶୁଭେଚ୍ଛା
ବିଶ୍ଵ ବିଜ୍ଞାନ ଦିବସ,
ହେଉ ଏ ବିଜ୍ଞାନ ଶୁଭ ଆଶୀର୍ବାଦ
ଶାନ୍ତି ପ୍ରଗତି ଅଶେଷ ।
ଶାନ୍ତି ଓ ଉନ୍ନତି ବିଜ୍ଞାନର ମତି
ଉନ୍ନତି ପରିଲକ୍ଷିତ,
ହିଂସା-କ୍ରୋଧ ନୀତି ଯୁଦ୍ଧ ପରିଣତି
ଶାନ୍ତି ହୁଏ ପ୍ରତିହତ !
ସୁଖ-ଶାନ୍ତି ବିନା ଉନ୍ନତି ପ୍ରଗତି
ଅନର୍ଥ ଅଟେ ଦିବସ,
ବିଶ୍ବ ନେତାଙ୍କୁ ମୋ’ ପ୍ରଶ୍ନୀଳ ଶୁଭେଚ୍ଛା
ବୋଲେ ଶମ୍ଭୁନାଥ ଦାସ ।