
ହେ ଛନ୍ମ !
ତୁମେ ଶୁଭ ଓ ସୌଭାଗ୍ଯ
ଏ ମହୀମଣ୍ଡଳେ,
ତବ ବିନା ସବୁ ଶୂନ୍ଯ
ଏହି ଧରାଧାମେ,
ସର୍ବ ପ୍ରାଣୀ ସର୍ବ ତରୁଲତା
ଅହରହ କରିଅଛ ସୃଷ୍ଟି
ଏକ ଶୁଭ ଲଗନରେ ।
‘ଜନ୍ମ’ ତୁମେ ମଙ୍ଗଳ ମଞ୍ଜୁଳ
ଆବିର୍ଭାବ ହୁଅ ତୁମେ
ତୋଳି ମଧୁର ଝଙ୍କାର
ତବ ଆଗମନେ ନାଚେ ମନ
ବାଜିଉଠେ ଶୁଭ-ଶଙ୍ଖ
ଉତଫୁଲ୍ଲିତ ହୁଅଇ ଜୀବନ
ଗଢ଼ିଉଠେ ଆଶାର ସୌଧ
ତିଆରିବାକୁ ଉଜ୍ଜ୍ବଳ ଭବିଷ୍ୟ ।
ଜନ୍ମ ତୁମେ ସତ୍ଯ-ଶିବ-ସୁନ୍ଦର
ତବ ଆଗମନେ ଶୋଭାପାଏ
ଏ ଧରଣୀବକ୍ଷ,
କୀଟ-ପତଙ୍ଗ ପଶୁ-ପକ୍ଷୀଠାରୁ
ଅସଂଖ୍ଯ ତରୁଲତା ଗାତ୍ରେ
ବିଭିନ୍ନ ରଙ୍ଗେ ହୋଇ ରଙ୍ଗାୟିତ
ଝଲମଲ ହୋଇଉଠେ
ଏ ଜୀବଜଗତ ।।■