ଚୋରାଚଇତି

ଯଦି କେବେ ଉଡ଼ିଯାଏ ପ୍ରଜାପତି
ତୁମ ଆଖି ସାମ୍ନାରେ ,
ଚହଲିଯାଏ ତନୁ-ମନ
ବୁଲୁ ବୁଲୁ ଫୁଲ ଉଦ୍ଯାନରେ ।

କାଳବୈଶାଖୀ ଯେବେ କେବେ
ଗତିକରେ ତୁମ ବଗିଚା ଭିତରେ ,
କୃଷ୍ଣଚୂଡ଼ା ଗଛ ଡାଳ ଭାଙ୍ଗିଯାଏ
ଫୁଲସବୁ ଲୋଟିପଡ଼େ
ତୁମ ହାତ ପାପୁଲିରେ ।

ଝିପି ଝିପି ବର୍ଷା ଯଦି ହୁଏ କେବେ
ରଜ-ପରବରେ,
ତୁମ ତନୁ-ମନ ଭିଜିଯାଏ,
ଖେଳୁ ଖେଳୁ ରଜ ଦୋଳି’ପରେ ।

ଶ୍ରାବଣର ଧାରା ଯଦି ବହିଯାଏ
ତୁମ ଗାଁ ମୁଣ୍ଡ ନଈ-ନାଳ ଧାରେ,
ରଙ୍ଗୀନ କାଗଜର ଡଙ୍ଗାସବୁ ତବ
ଭାସୁ ଭାସୁ ଅଟକିଯାଏ
ପାଖ ଗାଁ ନଈ କଦମ୍ବମୂଳରେ ।

ଚାନ୍ଦର ଚାନ୍ଦିନୀ ଯଦି ଲୁଚିଯାଏ
ଦୌଡୁ ଦୌଡୁ ମଳୟ ସାଥିରେ,
ମହକିଯାଏ ରଜନୀଗନ୍ଧାର ଫୁଲ
ତୁମ ଘର ସାମ୍ନା ପୋଖରୀ ତୁଠରେ ।

ଘୋଡ଼ାନାଚ ଦେଖୁ ଦେଖୁ
ତୁମ ମନ ଯଦି ନାଚିଯାଏ
ଚୋରା-ଚଇତିରେ,
ହଜିଯାଏ ତୁମ ପ୍ରାଣ
ଝିମି ଝିମି ହୋଇଥାଏ ତୁମ ଦେହ,
ଆଉ, ମନ ତୁମ ଉଙ୍କିମାରେ ବସିବାକୁ
ଏବେ ଏକ ଫୁଲ ସବାରିରେ ।■

Leave a Reply

Your email address will not be published. Required fields are marked *