ଚାରିବନ୍ଧୁ

ଆଦିମ କାଳରୁ ନ ହେଲେ ବି
କୌଣସି ଘଡ଼ିସନ୍ଧି କାଳରେ
ଚାରିବନ୍ଧୁଙ୍କର ମହାମିଳନ ….।

ସ୍ବ ସ୍ବ ପ୍ରତିଭା ବଖାଣି ବସନ୍ତି ସେମାନେ :
ପଙ୍କ କହେ, ମୁଁ ଦିଏ ପଦ୍ମ’ର ସମ୍ଭାର,
ଗୋବର କହେ, ମୁଁ ହୁଏ ଜୈବିକ ସାର
ଯୋଗାଏ ଦେଶକୁ ଫଳର ଭଣ୍ଡାର,
କାଦୁଅ କହେ, ମୁଁ ନିଜକୁ ଜାଳିପୋଡ଼ି
ଇଟା ହୋଇ ଗଢ଼େ ଜନଗଣଙ୍କ କୁଟୀର,
ମଳ କହେ, ମୁଁ ନିଜେ ହୁଅଇ ଆହାର
ଇତର-ପ୍ରାଣୀ କାକ ଓ ଘୁସୁରିମାନଙ୍କର !

ବାଃ….ବାଃ… ସ୍ବଗତୋକ୍ତି ବଡ଼ ଚମତ୍କାର !!

ତା’ପରେ ସେମାନଙ୍କ ଯୋଜନା ପ୍ରଣୟନ
ଜୀବନକୁ କରିବେ ଉତ୍ସର୍ଗ
ଦେଶ-ଜାତି ଓ ସମାଜର ହିତେ
ସର୍ବୋପରି ଗଣତନ୍ତ୍ର’ର ସୁରକ୍ଷା କବଚ
ପାଲଟିଯିବେ ଚାରୋଟି ସ୍ତମ୍ବ ।

ମୂଳଦୁଆ ଆରମ୍ଭରେ ମନୋମାଳିନ୍ଯ
ଅଧାଗଢ଼ା ରହିଲା ସ୍ତମ୍ବ,
ମନକୁ ମନେଇ ପୁଣି ବସିଲା ବୈଠକ
ଚାରୋଟି ବାହୁ ପାଲଟିଯିବାକୁ ସ୍ଥିରୀକୃତ
ତିଆରିବେ ଏକ ଚତୁର୍ଭୁଜାକାର କ୍ଷେତ୍ର
ବିସ୍ତିର୍ଣ୍ଣ ଭୂମି ହେବ ଗୋଚର ,
ଚରିବେ ଗାଈ-ଗୋରୁ ଛେଳି-ମେଣ୍ଢା
ପିଲାମାନେ ଖେଳିବେ ନାନା ଜାତି ଖେଳ
ଏମନ୍ତ କର୍ମରେ ସୃଜିବ ଧର୍ମବଳ ।

ତାହା ହିଁ ହେଲା …..
ବର୍ଷ ପରେ ବର୍ଷ ବିତିଲା …. କିନ୍ତୁ
ଦୁର୍ଗନ୍ଧରେ ଅତିଷ୍ଠ ହେଲା ଦେଶ,
ବିଚାର ବିମର୍ଶ ସୁଧାରିବାକୁ ପରିବେଶ,
ହେଲା ଆଇନ ପ୍ରଣୟନ
ଗୋଟିଏ ବାହୁ ଛେଦନ
ତାହା ହେଉଛି ମଳ
ଯାହା ଦୁର୍ଗନ୍ଧର ମୂଳ କାରଣ,
ତା’ପରେ ସ୍ବଚ୍ଛ ଭାରତ ଅଭିଯାନ ।

ଏଥିରେ ମୁଣ୍ଡ-ଶୁଣ୍ଢ ଟେକି ମାତିଲେ ତାତିଲେ
ଅନ୍ଯ ତିନିବନ୍ଧୁ : ପଙ୍କ , କାଦୁଅ ଓ ଗୋବର
ଦମ୍ଭରେ ଗଢ଼ିଲେ ପୁନଶ୍ଚ
ତିନି ବାହୁର ସଂଲଗ୍ନ ଆବଦ୍ଧ କ୍ଷେତ୍ର
ତ୍ରିଭୁଜାକାର ବିସ୍ତିର୍ଣ୍ଣ ତ୍ରିକୋଣଭୂମି,
ଏଥର ଗାଈ-ଗୋରୁ ଛେଳି-ମେଣ୍ଢା, ସର୍ବସାଧାରଣ,
ସଭିଁଙ୍କର ସୁସ୍ଥ ଆତଯାତ ।

ତଥାପି ଦୁର୍ଗନ୍ଧ ……
ଅତିଷ୍ଠ ସମାଜ ଓ ପରିବେଶ
ହା’ ହୋଲ୍ଲା….ଆନ୍ଦୋଳନ….ଗର୍ଜନ ତର୍ଜନରେ
ତ୍ରିମିତ୍ରଙ୍କ ମିତ୍ରତା ଛେଦନ
ନିଜକୁ ସଫେଇ ଦେବାର ପ୍ରୟାସରେ
ପ୍ରତ୍ଯେକ ପରସ୍ପର ଫିଙ୍ଗାଫିଙ୍ଗିରେ ବ୍ଯସ୍ତ ।■।

Leave a Reply

Your email address will not be published. Required fields are marked *